ନାବାଳିକାଙ୍କୁ ଅପହରଣ ଅଭିଯୋଗ: ସଦର ଥାନାରେ ମାମଲା ରୁଜୁ
କେନ୍ଦ୍ରାପଡ଼ା, ୨୦ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାରିମୂଳ ଗ୍ରାମରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ପୂର୍ବରୁ ଏକ ପୋକ୍ସୋ ମାମଲାରେ ଅପହରଣର ଶିକାର ହୋଇଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ କୋର୍ଟରେ ସାକ୍ଷୀ ଦେବାରୁ ରୋକିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ଅଭିଯୁକ୍ତ ପ
ନାବାଳିକାଙ୍କୁ ଅପହରଣ ଅଭିଯୋଗ: ସଦର ଥାନାରେ ମାମଲା ରୁଜୁ


କେନ୍ଦ୍ରାପଡ଼ା, ୨୦ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାରିମୂଳ ଗ୍ରାମରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ପୂର୍ବରୁ ଏକ ପୋକ୍ସୋ ମାମଲାରେ ଅପହରଣର ଶିକାର ହୋଇଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ କୋର୍ଟରେ ସାକ୍ଷୀ ଦେବାରୁ ରୋକିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ଅଭିଯୁକ୍ତ ପୁଣି ଥରେ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ପିତା ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ସଦର ଥାନାରେ ଦାୟର ହୋଇଥିବା ଏତଲା ଅନୁଯାୟୀ, ବାରିମୂଳ ଗ୍ରାମର ୫୦ ବର୍ଷୀୟ ସଞ୍ଜୟ ମଲିକ(ପିତା: କୈଳାସ ମଲିକ) ଅଭିଯୋଗ କରିଛନ୍ତି ଯେ, ଗତ ୨୧.୦୫.୨୦୨୩ ତାରିଖ ଅପରାହ୍ନ ପ୍ରାୟ ୨ଟା ସମୟରେ ପରିବାର ଲୋକେ ଘରେ ନଥିବା ସୁଯୋଗ ନେଇ ତାଙ୍କ ୧୬ ବର୍ଷୀୟା ନାବାଳିକା ଝିଅ ଲିପ୍ସା ମଲିକଙ୍କୁ ଅପହରଣ କରାଯାଇଛି। ଗ୍ରାମର ଚନ୍ଦ୍ର ମଲିକଙ୍କ ପୁଅ ନଣ୍ଡା ମଲିକ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ମନ୍ଦ ଉଦ୍ଦେଶ୍ୟ ରଖି ଅପହରଣ କରି ନେଇଥିବା ଏତଲାରେ ଦର୍ଶାଯାଇଛି। ଅଭିଯୋଗକାରୀ ପିତାଙ୍କ କହିବା ମୁତାବକ, ସମ୍ପୃକ୍ତ ଅଭିଯୁକ୍ତ ନଣ୍ଡା ମଲିକ ପୂର୍ବରୁ ମଧ୍ୟ ତାଙ୍କ ନାବାଳିକା ଝିଅକୁ ଅପହରଣ କରିନେଇଥିଲା। ସେତେବେଳେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଏକ ମାମଲା (କେସ୍ ନମ୍ବର ୫୭୧/୨୨, ଜି.ଆର୍. ପୋକ୍ସୋ) ରୁଜୁ ହୋଇ କୋର୍ଟରେ ବିଚାରାଧୀନ ରହିଛି। ଏହି ମାମଲାରେ ଆସନ୍ତା ୨୯.୦୫.୨୦୨୩ ତାରିଖରେ କୋର୍ଟରେ ନାବାଳିକା ପୀଡ଼ିତାଙ୍କ ସାକ୍ଷ୍ୟ ଗ୍ରହଣ ହେବାର ତାରିଖ ଧାର୍ଯ୍ୟ ହୋଇଥିଲା। ତେବେ କୋର୍ଟରେ ସାକ୍ଷ୍ୟ ଗ୍ରହଣ ହେଲେ ନିଜ ବିରୋଧରେ ଦଣ୍ଡବିଧାନ ହେବା ଭୟରେ ଅଭିଯୁକ୍ତ ନଣ୍ଡା ମଲିକ ନାବାଳିକା ଓ ତାଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେଇଆସୁଥିଲା। ନାବାଳିକା ଜଣକ ଯେପରି କୋର୍ଟରେ ପହଂଚି ସାକ୍ଷୀ ଦେଇ ନପାରିବେ ଏବଂ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଅଭିଯୁକ୍ତ ତାଙ୍କୁ ପୁଣିଥରେ ଅପହରଣ କରିନେଇଥିବା ପିତା ସଞ୍ଜୟ ମଲିକ ଅଭିଯୋଗ କରିଛନ୍ତି। ଏପରିକି ନାବାଳିକାଙ୍କ ଜୀବନ ପ୍ରତି ବିପଦ ଥିବା ସହ ଅଭିଯୁକ୍ତର କଥାରେ ରାଜି ନହେଲେ ଝିଅକୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଏହି ଅଭିଯୋଗକୁ ଭିତିକରି ସଦର ଥାନା ପୋଲିସ ୨୨.୦୫.୨୦୨୩ ତାରିଖ ସନ୍ଧ୍ୟା ୭ଟା ୪୭ ମିନିଟ୍ରେ ଏତଲା ଗ୍ରହଣ କରିବା ସହ ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୬୩, ୩୬୬ ଓ ୫୦୬ ଅନୁଯାୟୀ କେସ୍ ନମ୍ବର ୪୦୩/୨୩ରେ ଏକ ମାମଲା ରୁଜୁ କରିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସଦର ଥାନା ଅଧିକାରୀ ଏହାର ତଦନ୍ତ ଭାର ଏସ୍.ଆଇ. ପରିତୋଷ ପାଣିଗ୍ରାହୀଙ୍କୁ ପ୍ରଦାନ କରିଛନ୍ତି। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବାବେଳେ ଖୁବଶୀଘ୍ର ନାବାଳିକାଙ୍କୁ ଉଦ୍ଧାର କରାଯିବା ସହ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ସୂଚନା ମିଳିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande