କୋଟିଆ ପ୍ରସଙ୍ଗକୁ ନେଇ ବିଧାନସଭାରେ ଆତ୍ମାହୁତି ଦେବାକୁ ଧମକ ଦେଲେ ଜୟପୁର ବିଧାୟକ ତାରା
ଜୟପୁର, ୨୦ ନଭେମ୍ବର (ହି.ସ.)- ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗିରହିଥିବା କୋଟିଆ ସୀମା ବିବାଦ ଉପରେ ଯଦି ବିଧାନସଭାରେ ଏକ ସ୍ୱତନ୍ତ୍ର ଆଲୋଚନା ନହୁଏ, ତେବେ ସେ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଦେବେ ବୋଲି ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଖୋଲାଖୋଲି ଭାବେ ଚେତାବନୀ ଦେଇଛନ
କୋଟିଆ ପ୍ରସଙ୍ଗକୁ ନେଇ ବିଧାନସଭାରେ ଆତ୍ମାହୁତି ଦେବାକୁ ଧମକ ଦେଲେ  ଜୟପୁର ବିଧାୟକ ତାରା


ଜୟପୁର, ୨୦ ନଭେମ୍ବର (ହି.ସ.)- ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗିରହିଥିବା କୋଟିଆ ସୀମା ବିବାଦ ଉପରେ ଯଦି ବିଧାନସଭାରେ ଏକ ସ୍ୱତନ୍ତ୍ର ଆଲୋଚନା ନହୁଏ, ତେବେ ସେ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଦେବେ ବୋଲି ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଖୋଲାଖୋଲି ଭାବେ ଚେତାବନୀ ଦେଇଛନ୍ତି। ଦୀର୍ଘ ଦିନ ଧରି ଚାଲିଆସୁଥିବା ଏହି ସୀମା ବିବାଦ ପ୍ରସଙ୍ଗ ଉଠାଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ବିବାଦୀୟ ଅଞ୍ଚଳରେ ଥିବା ପ୍ରାୟ ୫୦ଟି ଗାଁ ଉପରେ ଆନ୍ଧ୍ରପ୍ରଦେଶ ଧୀରେ ଧୀରେ ନିଜର ପ୍ରଭାବ ବିସ୍ତାର କରୁଛି। ସେ ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ, ସରକାର ଏହି ବିଷୟକୁ ଯଥେଷ୍ଟ ଗମ୍ଭୀରତାର ସହ ନେଉନାହାନ୍ତି।ସେ କହିଛନ୍ତି ଯେ, କୋଟିଆ ଓଡ଼ିଶାର ଅଟେ ଏବଂ ରାଜ୍ୟର ଭୌଗୋଳିକ ଅଧିକାର ରକ୍ଷା କରିବା ପାଇଁ ସରକାରଙ୍କୁ ଦୃଢ଼ ପଦକ୍ଷେପ ନେବାକୁ ପଡ଼ିବ। ବାହିନୀପତି କହିଛନ୍ତି, କୋଟିଆ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ଓଡ଼ିଆ ଅସ୍ମିତା, ସଂସ୍କୃତି ଏବଂ ପରିଚୟର ପ୍ରଶ୍ନ। ଆମେ ଏକ ସ୍ୱତନ୍ତ୍ର ଆଲୋଚନା ପାଇଁ ପୂର୍ବରୁ ଚିଠି ଦେଇସାରିଛୁ ଏବଂ ରାଜସ୍ୱ ମନ୍ତ୍ରୀ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛୁ। ଏହି ପ୍ରସଙ୍ଗରେ କୌଣସି ପରିସ୍ଥିତିରେ ବୁଝାମଣା କରିବି ନାହିଁ। ଯଦି ଆଲୋଚନା ନହୁଏ, ତେବେ ମୁଁ ଏହି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବି ବୋଲି ବିଧାୟକ ବାହିନୀପତି ସ୍ପଷ୍ଟ କରିଛନ୍ତି ।ବିବାଦୀୟ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ନିର୍ବାଚନ କରିବାକୁ ପଦକ୍ଷେପ ନେବା ପରେ ଏହି ବିବାଦ ପୁଣି ଥରେ ତୀବ୍ର ହୋଇଛି। ଚଳିତ ମାସ ଆରମ୍ଭରେ, କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା; ସେଠାରେ ବ୍ୟାରିକେଡ୍ ଲଗାଯିବା ସହ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅଧୀନରେ ନିଷେଧାଜ୍ଞା ଜାରି କରାଯାଇ ସୀମା ସିଲ୍ କରାଯାଇଥିଲା l ସୁରକ୍ଷା ବଳକୁ ମୁତୟନ କରାଯାଇଥିଲା l କୋଟିଆ କାହାର କୋଟିଆ ଆମର । ମୁଁ ବିଧାନସଭା ଭିତରେ ବିରୋଧ କରୁଛି, ଆଗାମୀ ଦିନରେ ଗୃହରେ ଆତ୍ମହୁତି ଦେବି । କୋଟିଆ ପାଇଁ ପ୍ରାଣବଳି ଦେବାକୁ ପ୍ରସ୍ତୁତ ଅଛି । କୋଟିଆ ହେଉଛି ଓଡ଼ିଶା ସହିତ କୋରାପୁଟ ଜିଲ୍ଲାର ଅବିଚ୍ଛେଦ୍ୟ ଅଙ୍ଗ । ଶୀତ ଅଧିବେଶନରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜୟପୁର ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି । ସେ ସିଧା ସିଧା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ତାରା କହିଛନ୍ତି, ଏବେ ଟ୍ରିପଲ୍ ଇଞ୍ଜିନ ସରକାର ରହିଛି । କେନ୍ଦ୍ରରେ ବିଜେପି, ଓଡ଼ିଶାରେ ବିଜେପି ଏବଂ ଆନ୍ଧ୍ରରେ ଏନଡିଏ ମେଣ୍ଟ ସରକାର ରହିଛି । ସରକାର ଚାହିଁଲେ କୋଟିଆର ସମାଧାନ ହୋଇପାରନ୍ତା । ଅନ୍ୟପଟେ ଓଡ଼ିଶାବାସୀ ୨୦ ଜଣ ସାଂସଦଙ୍କୁ ନିର୍ବାଚିତ କରି ସଂସଦକୁ ପଠାଇଛନ୍ତି । ତେଣୁ ଏହି ଏମପି ମାନଙ୍କୁ ନେଇ ଏକ ହାଉସ୍ କମିଟି ଗଠନ କରାଯାଉ । ସେମାନେ କୋଟିଆ ବାବଦରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କଠୁ ସମୟ ମାଗନ୍ତୁ । ଏପଟେ କୋଟିଆ ପ୍ରସଙ୍ଗରେ ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଯାଉ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କୋଟିଆ ଆମର ଥିଲା, ଆମର ରହିବ । ଆମେ କୌଣସି ପରିସ୍ଥିତିରେ କୋଟିଆକୁ ଛାଡ଼ିବୁ ନାହିଁ । ଆନ୍ଧ୍ର ସରକାରଙ୍କ ସହ ଆମେ ଆଇନଗତ ଓ ଗଣତାନ୍ତ୍ରିକ ଉପାୟରେ ଲଢ଼େଇ କରିବୁ । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଓ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ, ସମାଧାନର ରାସ୍ତା ସଂସଦରେ ରହିଛି । ସଂସଦରେ ଆଇନ ପ୍ରଣୟନ କରି ଏହାର ସମାଧାନ କରାଯାଇପାରିବ । ବିଜେପି ସରକାର ଚାହିଁଥିଲେ ଏହି ପ୍ରସଙ୍ଗର ସମାଧାନ ପୂର୍ବରୁ ମଧ୍ୟ ହୋଇପାରିଥାନ୍ତା । ବର୍ତ୍ତମାନ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ଏହାର ସମାଧାନ କରିବାର ଏକ ବଡ଼ ସୁଯୋଗ ରହିଛି । ଏଥିପାଇଁ ଆମେ ବିଧାନସଭାରେ ଦାବି ଉଠାଉଛୁ । ଆବଶ୍ୟକ ପଡ଼ିଲେ କୋଟିଆ ପ୍ରସଙ୍ଗରେ ସର୍ବସମ୍ମତି ପ୍ରସ୍ତାବ ପାରିତ କରିବା ପାଇଁ ମଧ୍ୟ ଆମେ ପ୍ରସ୍ତୁତ ଅଛୁ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande