ଓଡ଼ିଶା ବିଧାନସଭା ଶୀତକାଳୀନ ଅଧିବେଶନ: ବିରୋଧୀଙ୍କ ହଟ୍ଟଗୋଳରେ ଚାଲିପାରିଲାନି ପ୍ରଶ୍ନକାଳ
ଭୁବନେଶ୍ୱର, 20 ନଭେମ୍ବର (ହି.ସ.ୃ। ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନ ଶୁକ୍ରବାର ମଧ୍ୟ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ନାରାବାଜି ଓ ପ୍ରତିବାଦ ଆରମ୍ଭ କରିଥିଲେ। ଫଳରେ ଗୃହର କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପା
ବିଧାନସଭା


ଭୁବନେଶ୍ୱର, 20 ନଭେମ୍ବର (ହି.ସ.ୃ। ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନ ଶୁକ୍ରବାର ମଧ୍ୟ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ନାରାବାଜି ଓ ପ୍ରତିବାଦ ଆରମ୍ଭ କରିଥିଲେ। ଫଳରେ ଗୃହର କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରି ନଥିଲା। ପରିସ୍ଥିତି ନିୟନ୍ତ୍ରଣକୁ ଆସି ନଥିବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହର କାର୍ଯ୍ୟକୁ ପ୍ରଥମେ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ଏବଂ ପରେ ଅପରାହ୍ନ ୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍ରେ ଗୃହର କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବାକୁ ଚାହିଁଥିବା ବେଳେ ବିଜେଡି ଓ କଂଗ୍ରେସ ବିଧାୟକମାନେ ନାରାବାଜି ଆରମ୍ଭ କରିଥିଲେ। ବ୍ୟାନର ଓ ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନିଜ ନିଜ ଦାବି ଉପରେ ଆଲୋଚନା କରାଇବାକୁ ଦାବି କରିଥିଲେ।

ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ପ୍ରଶ୍ନର ଉତ୍ତର ଦେବା ପାଇଁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଡାକିଥିଲେ। ଗୃହରେ ହୋହଲ୍ଲା ଜାରି ରହିଥିବା ସତ୍ତ୍ୱେ ସେ ଉତ୍ତର ପଢ଼ିବା ଜାରି ରଖିଥିଲେ। ଏହାପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ହଟ୍ଟଗୋଳ ମଧ୍ୟରେ ନିଜ ଉତ୍ତର ପଢ଼ିଥିଲେ।

ବିଜେଡି ବିଧାୟକମାନେ ରାଜ୍ୟ ସରକାରଙ୍କୁ ବନ୍ୟା ପରିଚାଳନାରେ ବିଫଳତା ନେଇ ଅଭିଯୋଗ କରିବା ସହ ବନ୍ୟା ପରିସ୍ଥିତି ଉପରେ ଗୃହରେ ତୁରନ୍ତ ଆଲୋଚନା କରାଇବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ, କଂଗ୍ରେସ ବିଧାୟକମାନେ କୋଟିଆ ପ୍ରସଙ୍ଗକୁ ନେଇ ଗୃହ ଭିତରେ ପ୍ରତିବାଦ କରିଥିଲେ।

ଗୃହର କାର୍ଯ୍ୟ ସ୍ୱାଭାବିକ ଭାବେ ଚଳାଇବା ପାଇଁ ବାଚସ୍ପତି ବିରୋଧୀ ସଦସ୍ୟମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କ ଅନୁରୋଧ ସତ୍ତ୍ୱେ ବିଜେଡି ଓ କଂଗ୍ରେସ ବିଧାୟକମାନେ ନିଜ ନିଜ ଦାବିରେ ଅଟଳ ରହି ନାରାବାଜି ଜାରି ରଖିଥିଲେ।

ଗୃହରେ ହଟ୍ଟଗୋଳ ଜାରି ରହିବା ଏବଂ ଶୃଙ୍ଖଳା ଫେରି ନଆସିବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହର କାର୍ଯ୍ୟକୁ ଅପରାହ୍ନ ୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ଏହା ସହିତ ଶୀତକାଳୀନ ଅଧିବେଶନର ତୃତୀୟ ଦିନ ମଧ୍ୟ ଗୃହରେ ପ୍ରଶ୍ନକାଳ କାର୍ଯ୍ୟ ହୋଇପାରିନଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande