
ଜୟପୁର, ୨୦ ନଭେମ୍ବର (ହି.ସ.)- କୋରାପୁଟ ଜିଲା ଜୟପୁର ବଜାରରେ ପିଆଜ ଦର ପୁଣି ଉପରମୁହାଁ ହୋଇଛି । ଜୟପୁରରେ ପିଆଜ ଖୁଚୁରା ଦର କିଲୋଗ୍ରାମ୍ ପିଛା ୬୦ ଟଙ୍କାରେ ପହଞ୍ଚିଛି । ଏହା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । ପାଇକାରୀ ବଜାରରେ ପିଆଜ ଦର ପୂର୍ବରୁ ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏହା ୫୦ରୁ ୫୧ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ପାଇକାରୀ ଦର ଯାହା ରହିଛି ସେହି ଅନୁସାରେ ଖୁଚୁରା ଦର କୌଣସି ପରିସ୍ଥିତିରେ ୫୦ ଟଙ୍କାରୁ ଅଧିକ ରହିବା ଉଚିତ ନୁହେଁ । କିନ୍ତୁ ଖୁଚୁରା ଦର ନିୟନ୍ତ୍ରଣରେ ନାହିଁ । କେତେକ ଦୋକାନରେ ପିଆଜ କିଲୋଗ୍ରାମ୍ ପିଛା ୬୦ ଟଙ୍କାରେ ଏବଂ ଆଉ କେତେକ ଦୋକାନରେ ୭୦ ଟଙ୍କାରେ ବିକ୍ରି ହେଉଛି । ପିଆଜ ଦର ଉପରେ ସରକାର ନିୟନ୍ତ୍ରଣ ହରାଇଥିବା ଭଳି ମନେ ହେଉଛି । ସରକାର ଓ ପ୍ରଶାସନ ତୁରନ୍ତ ତତ୍ପରତା ପ୍ରକାଶ କରି ଖାଉଟିଙ୍କୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ଜୟପୁର ବାସୀ ଦାବି କରିଛନ୍ତି । ବେଙ୍ଗାଲୁରୁ ପିଆଜ ଆସିଲେ ଦର କମିବ । କିନ୍ତୁ, ଏଥର ବେଙ୍ଗାଲୁରୁରେ ପିଆଜ ନଷ୍ଟ ହୋଇଯାଇଛି । ସେଥିପାଇଁ ଆସିବା ସମ୍ଭାବନା ମଧ୍ୟ କମ୍ ରହିଛି । ଯଦି ବେଙ୍ଗାଲୁରୁ ପିଆଜ ନ ଆସେ, ତାହା ହେଲେ ଖାଉଟିଙ୍କୁ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଏଭଳି ହନ୍ତସନ୍ତ ହେବାକୁ ପଡ଼ିବ ବୋଲି ବ୍ୟବାସାୟୀ ମାନେ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି