


ସମ୍ବଲପୁର, ୨୦ ନଭେମ୍ବର(ହି.ସ.) – ‘ଇନଭେଷ୍ଟ ଇନ୍ ସମ୍ବଲପୁର, ଇନଭେଷ୍ଟ ଇନ୍ ଅପର୍ଚୁନିଟିଜ୍’ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ସମ୍ବଲପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ସମ୍ବଲପୁର ଜିଲ୍ଲା ପର୍ଯ୍ୟଟନ ନିବେଶକ ସମ୍ମିଳନୀ' ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଇନଭେଷ୍ଟ ଇନ୍ ସମ୍ବଲପୁର, ଇନଭେଷ୍ଟ ଇନ୍ ଅପର୍ଚୁନିଟିଜ୍' ବାର୍ତା ନେଇ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶର ଅପାର ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା। ସମ୍ବଲପୁର ଜିଲ୍ଲାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହାସିକ କୀର୍ତିରାଜି, ଆଧ୍ୟାତ୍ମିକ ପୀଠ ଯଥା ମା' ସମଲେଶ୍ୱରୀଙ୍କ ପୀଠ, ହୁମା ବକ୍ର ମନ୍ଦିର ଏବଂ ବିଶ୍ୱପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାର ଆଦି ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତିଭୂମି ବିକାଶ ପାଇଁ ପୁଞ୍ଜିନିବେଶକମାନଙ୍କୁ ଆକୃଷ୍ଟ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ନୀତି ଅଧୀନରେ ନିବେଶକମାନଙ୍କୁ ମିଳୁଥିବା ବିଭିନ୍ନ ରିହାତି, ପ୍ରୋତ୍ସାହନ ଏବଂ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ଜିଲ୍ଲାରେ ହୋଟେଲ, ରିସର୍ଟ, ଇକୋ-ଟୁରିଜିମ୍ ଏବଂ ଜଳକ୍ରୀଡ଼ା କ୍ଷେତ୍ରରେ ପୁଞ୍ଜିନିବେଶ କରି ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ସମ୍ବଲପୁରକୁ ଏକ ପ୍ରମୁଖ ପର୍ଯ୍ୟଟନ ହବ୍ ଭାବେ ଗଢ଼ିତୋଳିବାକୁ ପ୍ରଶାସନ ପକ୍ଷରୁ ଆହ୍ୱାନ ଦିଆଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ବିନୋଦ କୁମାର ଜେନା ସମ୍ବଲପୁର ସମେତ ପଡ଼ୋଶୀ ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଥିବା ନିବେଶକ ତଥା ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇଥିଲେ। ସେ କହିଥିଲେ ଯେ, ଓଡ଼ିଶା ସରକାର ପର୍ଯ୍ୟଟନକୁ ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବାର ଏକ ପ୍ରମୁଖ ମାଧ୍ୟମ ଭାବେ ବିବେଚନା କରୁଛନ୍ତି। ରାଜ୍ୟରେ ଇକୋ-ଟୁରିଜିମ୍, ଐତିହ୍ୟ, ସାଂସ୍କୃତିକ, ଧାର୍ମିକ, ଦୁଃସାହସିକ, ୱେଲନେସ୍, ଆତିଥ୍ୟ ଭିତିଭୂମି ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି। ବିଶେଷ କରି ପଶ୍ଚିମ ଓଡ଼ିଶାର ଏହି ୫ଟି ଜିଲ୍ଲାରେ ପର୍ଯ୍ୟଟନର ଅନେକ ଅନ୍ୱେଷିତ ସମ୍ଭାବନା ରହିଛି। ଓଡ଼ିଶା ପର୍ଯ୍ୟଟନ ନୀତି ଅଧୀନରେ ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ପୁଞ୍ଜି ନିବେଶ ସବସିଡ୍ କ୍ଷେତ୍ର-ନିର୍ଦ୍ଦିଷ୍ଟ ପ୍ରୋତ୍ସାହନ ଏବଂ ବିଭିନ୍ନ ସହାୟତା ବ୍ୟବସ୍ଥା ଉପଲବ୍ଧ ରହିଛି। କେବଳ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ନୁହେଁ, ବରଂ ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ କାର୍ଯ୍ୟକାରୀ କରିବା ଏବଂ ସେଗୁଡ଼ିକର ଦୀର୍ଘସ୍ଥାୟୀ ପରିଚାଳନା ଉପରେ ବିଭାଗ ଗୁରୁତ୍ୱ ଦେଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ତ୍ୱରିତ ଅନୁମୋଦନ ପ୍ରଦାନ କରିବାକୁ ଯୁଗ୍ମ ସଚିବ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂହ ଯୋଗଦେଇ ପଶ୍ଚିମ ଓଡ଼ିଶା ବିଶେଷକରି ହୀରାକୁଦ, ଦେବ୍ରିଗଡ଼ ଏବଂ ସମ୍ବଲପୁର ଅଂଚଳକୁ ଏକ ପ୍ରମୁଖ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାରଙ୍କ ଭିଜନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ପୁରୀ ପରେ ହୀରାକୁଦ-ଦେବ୍ରିଗଡ଼କୁ ରାଜ୍ୟର ଦ୍ୱିତୀୟ ବୃହତମ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ବିକଶିତ କରିବାକୁ ସରକାର ନିଷ୍ପତି ନେଇଥିବା ସେ ପ୍ରକାଶ କରିଛନ୍ତି।
ଏହି ଅବସରରେ କମିଶନର ତଥା ଶାସନ ସଚିବ ଉପସ୍ଥିତ ରହି ବିଭାଗୀୟ ନୀତି ଓ ସୁବିଧା ସୁଯୋଗ ସମ୍ପର୍କରେ ଅଂଶଗ୍ରହଣ କାରୀମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଶାସନ ସଚିବ କହିଛନ୍ତି ଯେ ପର୍ଯ୍ୟଟନ କ୍ଷେତ୍ର ହେଉଛି ସର୍ବାଧିକ ନିଯୁକ୍ତି ସୃଷ୍ଟିକାରୀ ଏବଂ ପରିବେଶ ଅନୁକୂଳ କ୍ଷେତ୍ର, ଯାହାଦ୍ୱାରା ତୃଣମୂଳ ସ୍ତରରେ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ। ରାଜ୍ୟର ପ୍ରକୃତି, ସଂସ୍କୃତି ଏବଂ ଦୁଃସାହସିକ ପର୍ଯ୍ୟଟନ(ଆଡଭେଂଚର ଟୁରିଜିମ୍) ଭଳି ତିନୋଟି ପ୍ରମୁଖ ଶକ୍ତିକୁ ଆଧାର କରି ସରକାର କାର୍ଯ୍ୟ କରୁଛନ୍ତି। ସମ୍ବଲପୁର, ବରଗଡ଼, ସୋନପୁର, ଝାରସୁଗୁଡ଼ା ଏବଂ ଦେବଗଡ଼ ଜିଲ୍ଲାର ଉଦ୍ୟୋଗୀମାନଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ପର୍ଯ୍ୟଟନ ନୀତିରେ ବ୍ୟାପକ ସଂସ୍କାର ଆଣିଛନ୍ତି। ପୂର୍ବରୁ ସବ୍ସିଡି ପାଇଁ ସର୍ବନିମ୍ନ ୫୦ଟି ରୁମ୍ର ସର୍ତ ଥିବାବେଳେ, ଏବେ ତାହାକୁ ହ୍ରାସ କରାଯାଇ ମାତ୍ର ୧୦ଟି ରୁମ୍ ବିଶିଷ୍ଟ ହୋଟେଲ ଓ ରିସୋର୍ଟ ପାଇଁ ମଧ୍ୟ ୩୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗ ସବ୍ସିଡି ପ୍ରଦାନ କରାଯାଉଛି। ବିଶେଷକରି ହୀରାକୁଦ ଅଂଚଳରେ ନିବେଶ କଲେ ଏବଂ ମହିଳା ତଥା ଏସ୍ସି/ଏସ୍ଟି ଉଦ୍ୟୋଗୀମାନଙ୍କୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ।
ପଶ୍ଚିମ ଓଡ଼ିଶାର ସମୃଦ୍ଧ କଳା, ହସ୍ତତନ୍ତ, ଆଦିବାସୀ ସଂସ୍କୃତି, କୃଷି ପର୍ଯ୍ୟଟନ ଏବଂ ଜଳକ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ସ୍ୱତନ୍ତ୍ର ଯୋଜନା କରିଛନ୍ତି। ଝାରସୁଗୁଡ଼ା ବିମାନବନ୍ଦରର ସମ୍ପ୍ରସାରଣ ଏବଂ ଉନ୍ନତ ସଡ଼କ ଯୋଗାଯୋଗ ଏହି ଅଂଚଳର ପର୍ଯ୍ୟଟନ ବିକାଶରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏହା ସହିତ ହୋମ୍-ଷ୍ଟେ ଯୋଜନା, ଐତିହ୍ୟ କୋଠାର ପୁନରୁଦ୍ଧାର, ଓଡ଼ିଆ ଖାଦ୍ୟ ରେସ୍ତୋରାଁ, କାରାଭାନ୍ ଏବଂ ଅଫ୍-ସିଜନ୍(ଏପ୍ରିଲରୁ ସେପ୍େଟମ୍ବର) ସମୟରେ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଓ ବିବାହ ଉତ୍ସବ ପାଇଁ ରୁମ୍ ପିଛା ସ୍ୱତନ୍ତ୍ର ଆର୍ôଥକ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି। ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ସମସ୍ତ ପ୍ରକଳ୍ପକୁ ତ୍ୱରିତ ଅନୁମୋଦନ ଦିଆଯାଉଥିବାରୁ ସ୍ଥାନୀୟ ନିବେଶକମାନେ ଆଗେଇ ଆସି ଏହି ସୁଯୋଗର ଲାଭ ଉଠାଇବାକୁ କମିଶନର ତଥା ଶାସନ ସଚିବ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ସମ୍ବଲପୁର, ବରଗଡ଼ ଓ ସୋନପୁରର ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ବହୁ ସଂଖ୍ୟାରେ ଉଦ୍ୟୋଗୀ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ବରିଷ୍ଠ ଅଧିକାରୀବୃନ୍ଦ, ପର୍ଯ୍ୟଟନ ବିଭାଗର ପଦାଧିକାରୀ, ସମ୍ବଲପୁର ଜିଲ୍ଲପାଳ, ବରଗଡ଼ ଜିଲ୍ଲାପାଳ, ସୁବର୍ଣ୍ଣପୁର ଜିଲ୍ଲପାଳ ଏବଂ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବହୁ ବିଶିଷ୍ଟ ଶିଳ୍ପପତି ଓ ପର୍ଯ୍ୟଟନ ନିବେଶକମାନେ ଯୋଗ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ