ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟ୍ରାନ୍ସଜେଣ୍ଡର ସୁରକ୍ଷା ସେଲ୍ ବୈଠକ
Transgender safety cell meeting
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟ୍ରାନ୍ସଜେଣ୍ଡର ସୁରକ୍ଷା ସେଲ୍ ବୈଠକ


ଝାରସୁଗୁଡ଼ା, ୨୦ ନଭେମ୍ବର (ହି.ସ.) - ଟ୍ରାନ୍ସଜେଣ୍ଡର ସ୍ମୃତି ଦିବସ ୨୦୨୬' ଅବସରରେ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଟ୍ରାନ୍ସଜେଣ୍ଡର ସୁରକ୍ଷା ସେଲ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦିଲ୍ଲୀପ କୁମାର ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ ନାୟକଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ସେହାଡ଼ା' ସ୍ୱେଚ୍ଛାସେବୀ ସଂଗଠନର ନିର୍ଦ୍ଦେଶକ ଏବଂ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ମୁଖ୍ୟତଃ ଟ୍ରାନ୍ସଜେଣ୍ଡର ବ୍ୟକ୍ତିବିଶେଷଙ୍କ ଅଧିକାର, ଆତ୍ମସମ୍ମାନ, ସୁରକ୍ଷା, କଲ୍ୟାଣ ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣ ଉପରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। ସେମାନଙ୍କ ବିଭିନ୍ନ ଅଭିଯୋଗର ତ୍ୱରିତ ସମାଧାନ କରିବା, ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ସେମାନଙ୍କୁ ସାମିଲ କରିବା ଏବଂ ସେମାନଙ୍କ ସୁରକ୍ଷା ତଥା ସଶକ୍ତିକରଣ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ସମ୍ମାନ, ସମାନତା ଏବଂ ସମାନ ସୁଯୋଗ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ଅଧିକାରୀମାନେ ଏକ ସମ୍ବେଦନଶୀଳ ଏବଂ ଅନ୍ତର୍ଭୁକ୍ତୀକରଣ ମନୋଭାବ ନେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ ଚହ୍ୱାଣ ପରାମର୍ଶ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande