
ଝାରସୁଗୁଡ଼ା, ୨୦ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ମଡେଲ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ଏବଂ ବ୍ଲକ ସ୍ତରରେ ‘ବିଶ୍ୱ ଶୌଚାଳୟ ଦିବସ’ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ତତ୍ତ୍ୱାବଧାନରେ ଓଡ଼ିଶା ଜୀବିକା ମିଶନ ଏବଂ ୟୁନିସେଫ୍ ର ମିଳିତ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାର ସୁଧାର ନିମନ୍ତେ ‘ୱାଶ୍ ଋଣ’ ପ୍ରଦାନ କରାଯିବା ସହ ନୂତନ ଶୌଚାଳୟ ନିର୍ମାଣ ପାଇଁ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ଏହା ବ୍ୟତୀତ, ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଶୌଚାଳୟର ସଠିକ୍ ବ୍ୟବହାର ସୁନିଶ୍ଚିତ କରିବା ସହ ସମ୍ପୃକ୍ତ ପଞ୍ଚାୟତଗୁଡ଼ିକୁ ଶତପ୍ରତିଶତ ପରିମଳଯୁକ୍ତ କରିବାକୁ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ, ‘ଫାଷ୍ଟ ସୂତ୍ର ଫାଉଣ୍ଡେସନ’ର ମିଳିତ ସହଯୋଗରେ ସିରିଆପାଲି ଗ୍ରାମଠାରେ ମଧ୍ୟ ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ମଧ୍ୟରେ ସ୍ୱଚ୍ଛତା ବାର୍ତ୍ତାକୁ ନେଇ ଏକ ଆକର୍ଷଣୀୟ ଆଲପନା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମହିଳାମାନେ ଉତ୍ସାହର ସହ ଅଂଶଗ୍ରହଣ କରି ପରିମଳ ଓ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରିବା ସହିତ ଶପଥ ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ