
ନୂଆଦିଲ୍ଲୀ, ୨୨ ନଭେମ୍ବର (ହି.ସ.)। ରାଜସ୍ଥାନର କୋଟା-ଉଦୟପୁର ଜାତୀୟ ରାଜପଥରେ ଶମ୍ଭୁପୁରା ଗାଁ ନିକଟରେ ଶନିବାର ଓ ରବିବାର ମଧ୍ୟବର୍ତ୍ତୀ ରାତି ପ୍ରାୟ ୧ଟା ସମୟରେ ଘଟିଥିବା ସଡ଼କ ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି।
ରାଷ୍ଟ୍ରପତି ଏକ୍ସରେ ଲେଖିଛନ୍ତି, “କୋଟାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ। ମୁଁ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।”
ଉଲ୍ଲେଖଯୋଗ୍ୟ ଯେ, ଏହି ଦୁର୍ଘଟଣାରେ ମହାରାଷ୍ଟ୍ରର ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ପୁଲିସର ସୂଚନା ଅନୁଯାୟୀ, କ୍ରୁଜର ଗାଡ଼ିରେ ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଗୋଟିଏ ପରିବାରର ୧୬ ଜଣ ସଦସ୍ୟ ଯାତ୍ରା କରୁଥିଲେ। ଏହି ପରିବାର ଧାର୍ମିକ ସ୍ଥଳଗୁଡ଼ିକର ଦର୍ଶନ ପାଇଁ ମଙ୍ଗଳବାର ମହାରାଷ୍ଟ୍ରରୁ ବାହାରିଥିଲେ। ପ୍ରଥମେ ସେମାନେ ମଧ୍ୟପ୍ରଦେଶର ଓଁକାରେଶ୍ୱର ଏବଂ ପରେ ରାଜସ୍ଥାନର ପୁଷ୍କର ଓ ଖାଟୁଶ୍ୟାମଜୀଙ୍କ ଦର୍ଶନ କରିଥିଲେ। ଶନିବାର ରାତିରେ ସମସ୍ତେ ନିଜ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା