ଗୁଜରାଟରେ ଭୟଙ୍କର ସଡ଼କ ଦୁର୍ଘଟଣା, କାର୍ରେ ନିଆଁ ଲାଗି ୩ ବନ୍ଧୁଙ୍କ ମୃତ୍ୟୁ
ଜୁନାଗଡ଼, ୨୨ ନଭେମ୍ବର (ହି.ସ.)। ଗୁଜରାଟର କେଶୋଦ-ବାଲାଗାମ ରାସ୍ତାରେ ଘମିଦାଣା ଗାଁ ନିକଟରେ ରବିବାର ଭୋର ପ୍ରାୟ ୫ଟା ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବତୀଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ କାର୍‌ରେ ନିଆଁ ଲାଗିଯିବାରୁ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଛନ
कार में आग से तीन जले


ଜୁନାଗଡ଼, ୨୨ ନଭେମ୍ବର (ହି.ସ.)। ଗୁଜରାଟର କେଶୋଦ-ବାଲାଗାମ ରାସ୍ତାରେ ଘମିଦାଣା ଗାଁ ନିକଟରେ ରବିବାର ଭୋର ପ୍ରାୟ ୫ଟା ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବତୀଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ କାର୍‌ରେ ନିଆଁ ଲାଗିଯିବାରୁ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ତେବେ କାର୍‌ରେ ଥିବା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର କୃଷ୍ଣା ଚୁଡାସମା ବର୍ତି ଯାଇଛନ୍ତି ସେ ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜୁନାଗଡ଼ରୁ ମାଧବପୁର ଅଭିମୁଖେ ଯାଉଥିବା ଏକ ଲାଲ୍ ରଙ୍ଗର ସ୍ୱିଫ୍ଟ କାର୍‌ ଦ୍ରୁତଗତି ଯୋଗୁଁ ଏକ ମୋଡ଼ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହାପରେ କାର୍‌ଟି ରାସ୍ତାକଡ଼ରେ ରଖାଯାଇଥିବା ଏକ ପଥରରେ ଧକ୍କା ହୋଇ ଜଳିବାକୁ ଲାଗିଥିଲା। କାର୍‌ରେ ଦୁଇ ଜଣ ଯୁବକ ଓ ଦୁଇ ଜଣ ଯୁବତୀଙ୍କ ସମେତ ମୋଟ ଚାରି ଜଣ ଥିଲେ।

ଏହି ଦୁର୍ଘଟଣାରେ ପ୍ରାୟ ୨୫ରୁ ୨୭ ବର୍ଷ ବୟସ୍କ ନନ୍ଦିନୀ ପୋପଟ, ଡେନିସ ଦିଭରାଣିୟା ଓ ଝଲକ ମଶରୁଙ୍କ ଘଟଣାସ୍ଥଳରେ ହିଁ ଜଳିଯାଇ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ, କାର୍‌ର ଆଗ ସିଟ୍‌ରେ ବସିଥିବା କୃଷ୍ଣା ଚୁଡାସମା କାଚ ଭାଙ୍ଗି ବାହାରକୁ ଛିଟିକି ପଡ଼ିବା ସହ ନିକଟସ୍ଥ ଏକ କ୍ଷେତରେ ପଡ଼ିଥିଲେ। ଫଳରେ ତାଙ୍କ ଜୀବନ ରକ୍ଷା ପାଇଥିଲା। ସ୍ଥାନୀୟ ସୂତ୍ର ଅନୁସାରେ, ଜୁନାଗଡ଼ ନିବାସୀ କୃଷ୍ଣା ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଓ ମଡେଲ। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୧.୨୩ ଲକ୍ଷ ଅନୁଗାମୀ ଅଛନ୍ତି।

କୃଷ୍ଣାଙ୍କ ପରିବାର ସଦସ୍ୟଙ୍କ ସୂଚନା ଅନୁସାରେ, ମୃତ ନନ୍ଦିନୀ ପୋପଟଙ୍କ ରବିବାର ଜନ୍ମଦିନ ଥିଲା। ରାତିରେ ପରିବାର ସହ ଜନ୍ମଦିନ ପାଳନ କରିବା ପରେ ଚାରି ଜଣ ସାଙ୍ଗ ମିଶି ମାଧବପୁରରେ ଜନ୍ମଦିନ ଉତ୍ସବ ପାଳନ କରିବାକୁ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। କିନ୍ତୁ ସେତେବେଳକୁ କାର୍‌ଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା। ଆହତ କୃଷ୍ଣାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେଶୋଦ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ଦୁର୍ଘଟଣାଜନିତ ଗଭୀର ଆଘାତ ଯୋଗୁଁ ସେ ମାନସିକ ଭାବେ ଅସ୍ଥିର ଥିବାରୁ ଡାକ୍ତରମାନେ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି।

ପୁଲିସ ଇନ୍ସପେକ୍ଟର ଏନ୍‌. ବି. ଚୌଧୁରୀ କହିଛନ୍ତି ଯେ, ତିନି ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବାବେଳେ ଚିକିତ୍ସାଧୀନ କୃଷ୍ଣାଙ୍କଠାରୁ ମଧ୍ୟ ପ୍ରାଥମିକ ସୂଚନା ସଂଗ୍ରହ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande