
ଖଡ଼ଗପୁର, ୨୨ ନଭେମ୍ବର (ହି.ସ.)। ଖଡ଼ଗପୁରସ୍ଥିତ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି)ର ପ୍ଲାଟିନମ୍ ଜୁବିଲି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ ଟଙ୍କିଆ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଜାରି କରିଛନ୍ତି। ଶନିବାର ଅନୁଷ୍ଠାନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସମାରୋହରେ ଏହି ମୁଦ୍ରାର ଉନ୍ମୋଚନ କରାଯାଇଥିଲା।
ଏହି ସ୍ମାରକୀ ମୁଦ୍ରା ରୁପାରେ ନିର୍ମିତ। ଏହାର ଓଜନ ୪୦ ଗ୍ରାମ ଏବଂ ବ୍ୟାସ ୪୪ ମିଲିମିଟର। ମୁଦ୍ରାର ଉଭୟ ପାର୍ଶ୍ୱରେ ସ୍ୱତନ୍ତ୍ର ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ଏହାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭର ସିଂହ ଶୀର୍ଷ ଅଙ୍କିତ ହୋଇଛି। ଏହାର ତଳେ 'ସତ୍ୟମେବ ଜୟତେ' ଲେଖାଯାଇଛି। ବାମ ପାର୍ଶ୍ୱରେ ଦେବନାଗରୀ ଲିପିରେ 'ଭାରତ' ଏବଂ ଡାହାଣ ପାର୍ଶ୍ୱରେ ଇଂରାଜୀରେ 'ଇଣ୍ଡିଆ' ଅଙ୍କିତ ହୋଇଛି। ମୁଦ୍ରାର ତଳ ଭାଗରେ ଟଙ୍କାର ପ୍ରତୀକ ଚିହ୍ନ ସହିତ ୭୫ ସଂଖ୍ୟା ଦିଆଯାଇଛି।
ମୁଦ୍ରାର ଅନ୍ୟ ପାର୍ଶ୍ୱରେ ଖଡ଼ଗପୁର ଆଇଆଇଟିର ପ୍ଲାଟିନମ୍ ଜୁବିଲିର ସ୍ୱତନ୍ତ୍ର ଚିହ୍ନ ଅଙ୍କିତ ହୋଇଛି। ଏହାର ଉପର ଭାଗରେ ଦେବନାଗରୀ ଲିପିରେ 'ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ, ଖଡ଼ଗପୁର' ଏବଂ ତଳେ ଇଂରାଜୀରେ 'ଆଇଆଇଟି ଖଡଗପୁର ଲେଖାଯାଇଛି। ଏହାର ଡିଜାଇନ୍ରେ ୨୦୨୫ ମସିହା ସହିତ ହିନ୍ଦୀରେ 'ପ୍ଲାଟିନମ୍ ଜୟନ୍ତୀ' ଏବଂ ଇଂରାଜୀରେ 'ପ୍ଲାଟିନମ ଜୁବୁଲି' ମଧ୍ୟ ଅଙ୍କିତ ହୋଇଛି।
ଏହି ମୁଦ୍ରା ସ୍ୱତନ୍ତ୍ର ଭାବେ ସଂଗ୍ରହ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଏହାକୁ ସାଧାରଣ ଆର୍ଥିକ କାରବାରରେ ବ୍ୟବହାର କରାଯାଇପାରିବ ନାହିଁ। ପ୍ରସିଦ୍ଧ ମୁଦ୍ରା ବିଶେଷଜ୍ଞ ସୁଧୀର ଲୁଣାୱତଙ୍କ ଅନୁଯାୟୀ, ଏହି ସ୍ମାରକୀ ମୁଦ୍ରା କୋଲକାତା ଟଙ୍କଶାଳରେ ନିର୍ମାଣ କରାଯାଇଛି। ଆଗ୍ରହୀ ସଂଗ୍ରହକାରୀମାନେ କୋଲକାତା ଟଙ୍କଶାଳରୁ ଏହାକୁ ପାଇପାରିବେ।
ଆଇଆଇଟି ଖଡ଼ଗପୁରର ୭୫ ବର୍ଷର ଗୌରବମୟ ଶିକ୍ଷାଗତ ଯାତ୍ରା ଅବସରରେ ଜାରି ଏହି ସ୍ମାରକୀ ମୁଦ୍ରାକୁ ଅନୁଷ୍ଠାନର ଇତିହାସ ଏବଂ ଉପଲବ୍ଧିକୁ ସ୍ମରଣୀୟ କରି ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା