
ନୂଆଦିଲ୍ଲୀ, ୨୨ ନଭେମ୍ବର (ହି.ସ.)। ରାଜ୍ୟସଭା ସାଂସଦ ରାମରାଓ ସଖାରାମ ୱାଡକୁଟେଙ୍କ ବିୟୋଗରେ ରବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ କେନ୍ଦ୍ରୀୟ ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ସମେତ ବହୁ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି।
ରାଷ୍ଟ୍ରପତି ମୁର୍ମୁ ଏକ୍ସରେ ଲେଖିଛନ୍ତି, ସଖାରାମ ୱାଡକୁଟେ ଜନକଲ୍ୟାଣ କାର୍ଯ୍ୟ ପ୍ରତି ସମର୍ପିତ ଥିଲେ। ମହାରାଷ୍ଟ୍ର ତଥା ଦେଶର ବିକାଶରେ ସେ ମୂଲ୍ୟବାନ ଅବଦାନ ଦେଇଥିଲେ। ତାଙ୍କ ପରିବାରବର୍ଗ, ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କ ପ୍ରତି ମୋର ଗଭୀର ସମବେଦନା।
ରାଷ୍ଟ୍ରପତି କହିଛନ୍ତି ଯେ, ସାର୍ବଜନୀନ ଜୀବନରେ ସାଖାରାମ ୱାଡକୁଟେଙ୍କ ଅବଦାନ ଏବଂ ଜନସେବାକୁ ସର୍ବଦା ମନେ ରଖାଯିବ। ଏହି ଦୁଃଖଦ ସମୟରେ ତାଙ୍କ ପରିବାର, ବନ୍ଧୁ ଓ ସମର୍ଥକଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇବା ସହ ଈଶ୍ୱର ସେମାନଙ୍କୁ ଏହି ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି କାମନା କରିଛନ୍ତି।
ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ, ସାଂସଦ ଡ. ରାମରାଓ ସାଖାରାମ ୱାଡକୁଟେଙ୍କ ନିଧନ ଅତ୍ୟନ୍ତ ଦୁଃଖଦ। ଏହି ଦୁଃଖଦ ସମୟରେ ସେ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ଏବଂ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହିବାକୁ ଶକ୍ତି ପ୍ରଦାନ କରିବା ପାଇଁ ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏଥିସହ ସେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ରାଜ୍ୟସଭା ସାଂସଦ ରାମରାଓ ୱାଡକୁଟେଙ୍କ ପରିବାର ଓ ବନ୍ଧୁମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ଏବଂ ଏହି କଠିନ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରିବାକୁ ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଓଁ ଶାନ୍ତି!
ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ସାଂସଦ ରାମରାଓ ୱାଡକୁଟେଙ୍କ ହୃଦ୍ଘାତରେ ପରଲୋକ ହୋଇଛି। ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ମାତ୍ର ଆଠ ମାସ ପୂର୍ବେ ସେ ବିଜେପି ସାଂସଦ ଭାବେ ରାଜ୍ୟସଭାରେ ପ୍ରବେଶ କରିଥିଲେ। ଏହା ପୂର୍ବରୁ ସେ ଦୀର୍ଘ ସମୟ ଧରି ଧନଗର ସମ୍ପ୍ରଦାୟର ସେବା କରିଥିଲେ। ଜିଲ୍ଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବା ସହ ମେଣ୍ଢା ଓ ଛେଳି ବିକାଶ ନିଗମର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା