
ହରିଦ୍ୱାର, ୨୨ ନଭେମ୍ବର (ହି.ସ.): ଉତ୍ତରାଖଣ୍ଡରେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବ ବୋଲି ଦୃଢ଼ ଆଶାବ୍ୟକ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର ହିମାଳୟ ପରି ଅଟଳ ଏବଂ ଗଙ୍ଗା ନଦୀ ପରି ନିରନ୍ତର ପ୍ରବାହମାନ ରହିବ। ଉତ୍ତରାଖଣ୍ଡରେ ବିଜେପିର ସଂଗଠନ ଦେବଦାରୁ ବୃକ୍ଷ ପରି ମଜବୁତ। କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହ ଏବଂ ଦଳ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ତୃତୀୟ ଥର ପାଇଁ ମଧ୍ୟ ବିପୁଳ ବହୁମତରେ ସରକାର ଗଠନର ଆଧାର ହେବ।
ରବିବାର ହରିଦ୍ୱାରସ୍ଥିତ ପ୍ରେମନଗର ଆଶ୍ରମରେ ବିଜେପିର ଦୁଇଦିନିଆ ବିସ୍ତାରିତ ପ୍ରଦେଶ କାର୍ଯ୍ୟସମିତି ବୈଠକର ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧିତ କରି ରାଜନାଥ ସିଂହ କହିଥିଲେ ଯେ, ଏହି ବୈଠକ କେବଳ ଏକ ସାଂଗଠନିକ କାର୍ଯ୍ୟକ୍ରମ ନୁହେଁ, ବରଂ ଆଗାମୀ ବିଧାନସଭା ନିର୍ବାଚନରେ ପୂର୍ବାପେକ୍ଷା ଅଧିକ ଆସନରେ ବିଜୟୀ ହୋଇ ସରକାର ଗଠନ କରିବାର ସଂକଳ୍ପ ନେବାର ଏକ ସୁଯୋଗ। ଉତ୍ତରାଖଣ୍ଡର ଅସ୍ମିତା, ସଂସ୍କୃତି ଓ ବିକାଶର ସୁରକ୍ଷା ପାଇଁ ବିଜେପି ପ୍ରତିବଦ୍ଧ ବୋଲି ସେ କହିଥିଲେ।
ରାଜନାଥ ସିଂହ କହିଥିଲେ ଯେ, ଉତ୍ତରାଖଣ୍ଡର କାର୍ଯ୍ୟକର୍ତ୍ତାଙ୍କ ପ୍ରତି ତାଙ୍କ ମନରେ ଗଭୀର ଶ୍ରଦ୍ଧା ଓ କୃତଜ୍ଞତା ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକର୍ତ୍ତାଙ୍କ ସହ କାମ କରିବାର ସୁଯୋଗ ତାଙ୍କୁ ମିଳିଛି। ଆଜି ସେହି କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ଯୋଗୁଁ ସଂଗଠନର ବିସ୍ତାର ହୋଇଛି ଏବଂ ବହୁ ସଂଖ୍ୟାରେ ନୂଆ ଲୋକ ଦଳ ସହ ଯୋଡ଼ି ହୋଇଛନ୍ତି। ବିଜେପିର ନିର୍ବାଚନୀ ସଫଳତା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ, ବିକାଶମୂଳକ କାର୍ଯ୍ୟ, ଜନକଲ୍ୟାଣର ଭାବନା ଏବଂ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।
ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ, ବିଜେପିର ପ୍ରକୃତ ଶକ୍ତି ସରକାର ନୁହେଁ, ବରଂ ଏହାର ମଜବୁତ ସଂଗଠନ। ସଂଗଠନକୁ ସକ୍ରିୟ ଓ ସଜୀବ ରଖିବା ପାଇଁ ନିରନ୍ତର ଆଲୋଚନା ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗାଯୋଗ ରଖିବା ଜରୁରୀ। ବିଜେପି କେବଳ ନିର୍ବାଚନ ଜିତିବା ପାଇଁ ନୁହେଁ, ବରଂ ଦେଶ ଓ ରାଜ୍ୟର ପରିବର୍ତ୍ତନ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି। କ୍ଷମତାରେ ଥାଉ କିମ୍ବା ନଥାଉ, ରାଷ୍ଟ୍ରହିତ ଓ ଜନହିତ ପ୍ରସଙ୍ଗରେ ଦଳ ନିଜ ଆଦର୍ଶ ସହ କୌଣସି ସାଲିସ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।ସେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଗୋଟିଏ ଦେଶରେ ଦୁଇଟି ପ୍ରଧାନ, ଦୁଇଟି ବିଧାନ ଓ ଦୁଇଟି ନିଶାନ ଚଳିବ ନାହିଁ ବୋଲି ରହିଥିବା ସଂକଳ୍ପର ଉଲ୍ଲେଖ କରି କହିଥିଲେ ଯେ, ବିଜେପି ସେହି ବିଚାରଧାରାକୁ ଆଗକୁ ବଢ଼ାଉଛି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତ୍ୟୋଦୟ ଏବଂ ରାଷ୍ଟ୍ର ପ୍ରଥମ ଚିନ୍ତାଧାରାରୁ ଦଳ ପ୍ରେରଣା ଲାଭ କରୁଛି। ସମାଜର ଶେଷ ଧାଡ଼ିରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ହିଁ ସରକାରଙ୍କ ସଫଳତାର ପ୍ରକୃତ ମାପଦଣ୍ଡ ହେବା ଉଚିତ ବୋଲି ସେ କହିଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା