
ଇସଲାମାବାଦ (ପାକିସ୍ତାନ), ୨୩ ନଭେମ୍ବର (ହି.ସ.)। ପାକିସ୍ତାନ ସେନା ବଲୁଚିସ୍ତାନରେ ଚଢ଼ାଉ କରି ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରି ନେଇଛି। ଏହି ମଧ୍ୟରେ ବିଭିନ୍ନ ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବା ଖବର ମିଳିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି। ଅନ୍ୟପକ୍ଷରେ, ଅଗଷ୍ଟ ମାସରେ ଜବରଦସ୍ତି ନିଖୋଜ କରାଯାଇଥିବା କିଛି ଲୋକ ନିଜ ଘରକୁ ଫେରିଥିବା କୁହାଯାଉଛି।
'ଦ ବଲୁଚିସ୍ତାନ ପୋଷ୍ଟ'ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେନା ମସ୍ତୁଙ୍ଗ ଜିଲ୍ଲାର ଦଶ୍ତ ଜଲାବ ଗୋଣ୍ଡନ ଅଞ୍ଚଳର ନଦୀମ ବଲୁଚଙ୍କୁ ହେପାଜତକୁ ନେବା ପରେ ନିଖୋଜ କରିଦେଇଛି। ଏହି ଘଟଣା ନଭେମ୍ବର ୧୮ ତାରିଖର ବୋଲି କୁହାଯାଉଛି। ମୋଇନ କୁର୍ଦ୍ଦଙ୍କ ପୁଅ ନଦୀମ ବଲୁଚ ନିଖୋଜ ହେବା ସମ୍ପର୍କରେ ଏବେ ସୂଚନା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟକର୍ମୀ ନଦୀମଙ୍କୁ ମସ୍ତୁଙ୍ଗର ଦଶ୍ତ ଜଲାବ ଗୋଣ୍ଡନ ଅଞ୍ଚଳର ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ହେପାଜତକୁ ନିଆଯାଇଥିଲା।
ଏହି ମଧ୍ୟରେ ବଲୁଚିସ୍ତାନର ବିଭିନ୍ନ ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବା ଖବର ମିଳିଛି। ଚାଗାଇ ଜିଲ୍ଲାର ଦଲବନ୍ଦିନ ଅଞ୍ଚଳର ଧାଦରଠାରେ କିଛି ସଶସ୍ତ୍ର ବ୍ୟକ୍ତି ଏକ ମାଲବାହୀ ବସ୍ ଉପରେ ଗୁଳି ଚଳାଇଥିଲେ। ଏଥିରେ ବସ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ଘଟଣା ପରେ ମୃତଦେହ ଓ ଆହତମାନଙ୍କୁ ଦଲବନ୍ଦିନର ଡିଏଚକ୍ୟୁ ହସ୍ପିଟାଲକୁ ପଠାଯାଇଛି।
ଗୁଳିକାଣ୍ଡରେ ମୃତ ବସ୍ ଚାଳକଙ୍କ ପରିଚୟ ଅବଦୁଲ ୱାହିଦ ବୋଲି ଜଣାପଡ଼ିଛି। ସେ କ୍ୱେଟାର ବାସିନ୍ଦା ଥିଲେ। ଆହତମାନଙ୍କ ମଧ୍ୟରେ ନୁଶ୍କିର ଓବୈଦୁଲ୍ଲା ସୁକନା, ଫୈକ ଏବଂ କ୍ୱେଟାର ମୋହସିନ ସୁକନା ସାମିଲ ଅଛନ୍ତି। ଏହାବ୍ୟତୀତ ନୁଶ୍କି ମିଲ୍ ଅଞ୍ଚଳରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମହିଳା ଓ ଶିଶୁଙ୍କ ସମେତ ଅନେକ ଯାତ୍ରୀ ଆହତ ହୋଇଛନ୍ତି।
ଅନ୍ୟପକ୍ଷରେ, ବୋଲାନ ଜିଲ୍ଲାର ମିଶକାଫ ଅଞ୍ଚଳରୁ ଦୁଇଟି ଅଜଣା ମୃତଦେହ ଉଦ୍ଧାର କରାଯାଇଛି। ଡିଏସ୍ପି ଶେର ଅହମ୍ମଦଙ୍କ ସୂଚନା ଅନୁଯାୟୀ, ମିଶକାଫ ନିକଟରୁ ଉଭୟ ମୃତଦେହ ମିଳିଥିଲା। ତେବେ ଏପର୍ଯ୍ୟନ୍ତ ସେମାନଙ୍କ ପରିଚୟ ଜଣାପଡ଼ିନାହିଁ। ଘଟଣା ପରେ ପୁଲିସ ଓ ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାଉ କରିଛନ୍ତି। ସେହିପରି କେଚ୍ ଜିଲ୍ଲାର ମୁଖ୍ୟ ସହର ତୁରବତର ଶାହରକ ଅଞ୍ଚଳରୁ ମଧ୍ୟ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା