
ନୂଆଦିଲ୍ଲୀ, ୨୩ ନଭେମ୍ବର (ହି.ସ.)। ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ନେତା ସୋମବାର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ଉପରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, “ସଂସଦୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବା, ସଂସଦୀୟ ସଂସ୍ଥାଗୁଡ଼ିକର ମର୍ଯ୍ୟାଦା ବଜାୟ ରଖିବା ଏବଂ ଲୋକସଭାର କାର୍ଯ୍ୟକୁ ପ୍ରଭାବଶାଳୀ ଢଙ୍ଗରେ ସୁନିଶ୍ଚିତ କରିବା କ୍ଷେତ୍ରରେ ଓମ ବିର୍ଲାଙ୍କ ଅବଦାନ ପ୍ରଶଂସନୀୟ। ଈଶ୍ୱର ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ରାଷ୍ଟ୍ରସେବାରେ ନିରନ୍ତର ସଫଳତା ପ୍ରଦାନ କରନ୍ତୁ। ତାଙ୍କର ଦୀର୍ଘାୟୁ ଓ ସୁଖମୟ ଜୀବନ କାମନା କରୁଛି।”
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଓମ ବିର୍ଲାଙ୍କ ମେଳାପୀ ସ୍ୱଭାବ ଏବଂ ସମ୍ବିଧାନ ସମ୍ପର୍କରେ ଗଭୀର ଜ୍ଞାନ ଗୃହର ସୁଚାରୁ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତା ସମସ୍ତଙ୍କୁ ପ୍ରେରଣା ଯୋଗାଉଛି। ଈଶ୍ୱର ତାଙ୍କୁ ଦୀର୍ଘାୟୁ ପ୍ରଦାନ କରିବା ସହ ସର୍ବଦା ସୁସ୍ଥ ରଖନ୍ତୁ।
ରାଜନାଥ ସିଂହ କହିଛନ୍ତି ଯେ, ସଂସଦୀୟ ପରମ୍ପରାକୁ ବଜାୟ ରଖିବା ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ପ୍ରତି ଓମ ବିର୍ଲାଙ୍କ ଅତୁଟ ପ୍ରତିବଦ୍ଧତା ଭାରତର ସଂସଦୀୟ ଯାତ୍ରାକୁ ନିରନ୍ତର ସମୃଦ୍ଧ କରୁଛି।
କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ନିଜର ବ୍ୟାପକ ଅନୁଭବ ଓ ଦୂରଦୃଷ୍ଟି ବଳରେ ଆପଣ (ଓମ ବିର୍ଲା) ଗୃହର କାର୍ଯ୍ୟଧାରାକୁ ଏକ ସାର୍ଥକ ଦିଗ ଦେବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସଂସଦୀୟ ପରମ୍ପରାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି।
ବୈଦେଶିକ ମନ୍ତ୍ରୀ ଡ. ଏସ୍. ଜୟଶଙ୍କର କହିଛନ୍ତି ଯେ, ଆପଣଙ୍କ (ବିର୍ଲା) ଦକ୍ଷ ନେତୃତ୍ୱରେ ବିଭିନ୍ନ ଦେଶର ସଂସଦ ସହ ଆଲୋଚନା ଓ ଆଦାନପ୍ରଦାନକୁ ନୂତନ ଗତି ମିଳିଛି। ଏହାଦ୍ୱାରା ବିଶ୍ୱ ମଞ୍ଚରେ ଭାରତର ମର୍ଯ୍ୟାଦା ଓ ସ୍ଥିତି ଆହୁରି ସୁଦୃଢ଼ ହୋଇଛି।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ଆପଣ (ବିର୍ଲା) ଜଣେ ସରଳ ଓ ଅମାୟିକ ସ୍ୱଭାବର ବ୍ୟକ୍ତି। ଲୋକସଭା ବାଚସ୍ପତି ଭାବେ ଆପଣଙ୍କ ନେତୃତ୍ୱ ଭାରତର ଗଣତାନ୍ତ୍ରିକ ଓ ସଂସଦୀୟ ପରମ୍ପରାକୁ ନିରନ୍ତର ସୁଦୃଢ଼ କରୁଛି।
କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି ଯେ, ଓମ ବିର୍ଲାଙ୍କ ଶାନ୍ତ ଓ ମେଳାପୀ ବ୍ୟକ୍ତିତ୍ୱ ସମସ୍ତଙ୍କୁ ସହଜ ଅନୁଭବ କରାଇଥାଏ। ତାଙ୍କ ସହିତ ସମୟ ବିତାଇବା ଏକ ସୁଖଦ ଅନୁଭୂତି। ଈଶ୍ୱର ତାଙ୍କୁ ସର୍ବଦା ସୁଖୀ ଓ ସୁସ୍ଥ ରଖନ୍ତୁ।
କେନ୍ଦ୍ର ସଂସଦୀୟ ବ୍ୟାପାର ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏବଂ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ଓମ ବିର୍ଲାଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା