

ଖୋର୍ଦ୍ଧା, 03 ନଭେମ୍ବର (ହି.ସ.)- ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଚୋରି କରି ଆତଙ୍କ ଖେଳାଉଥିବା ଏକ ଆନ୍ତଃ ଜିଲା ଡକାୟତ ଗ୍ୟାଙ୍ଗକୁ ଖୋର୍ଦ୍ଧା ପୋଲିସ ଧରିବାରେ ସଫଳ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଗ୍ୟାଙ୍ଗର ୧୧ଜଣ ଅଭିଯୁକ୍ତ ଏବଂ ଚୋରି ସାମଗ୍ରୀ କିଣୁଥିବା ଜଣେ ରିସିଭରଙ୍କୁ ମିଶାଇ ମୋଟ ୧୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୫୦୦ ଗ୍ରାମ ସୁନା ଏବଂ ୧୧ କିଲୋଗ୍ରାମ ରୁପା ଅଳଙ୍କାର ଜବତ କରିଛି। ଗିରଫ ଅଭିଯୁକ୍ତମାନେ ଖୋର୍ଦ୍ଧା, ଗଞ୍ଜାମ ଏବଂ ପୁରୀ ଜିଲାର ବୋଲି ଜିଲା ପୋଲିସ ମୁଖ୍ୟାଳୟରେ ମଙ୍ଗଳବାର ଆୟୋଜିତ ଏକ ସାମ୍ବଦିକ ସମ୍ମିଳନୀରେ ଏସ୍ପି ସ୍ମିତ ପି. ପରମାର ସୂଚନା ଦେଇଛନ୍ତି।ତେବେ ପୋଲିସର ତଦନ୍ତରୁ ଟାଙ୍ଗୀ ଥାନା ଅଞ୍ଚଳରେ ୭ଟି, ନାଚୁଣୀରେ ୩ଟି, ବାଣପୁରରେ ୨ଟି, ବାଲୁଗାଁରେ ଗୋଟିଏ ଏବଂ ନୟାଗଡ଼ ଜିଲାର ଚାନ୍ଦପୁରରେ ୨ଟି ଚୋରି ମାମଲାରେ ଅଭିଯୁକ୍ତମାନେ ସମ୍ପୃକ୍ତି ଥିବା ଜଣାପଡିଛି।ପୋଲିସ ସୁଚନା ମୁତାବକ ଗତ ଅକ୍ଟୋବର ୨୭ ତାରିଖ ରାତିରେ ବାଣପୁର ବଜାରସ୍ଥିତ ନିରଞ୍ଜନ ଜୁଏଲର୍ସର ପଛପଟ କାନ୍ଥ ଭାଙ୍ଗି ଦୁର୍ବୃତ୍ତମାନେ ପ୍ରାୟ ୫ଲକ୍ଷ ଟଙ୍କା, ୪୦୦ ଗ୍ରାମ ସୁନା ଓ ୧୩ କେଜି ରୁପା ସାମଗ୍ରୀ ଚୋରି କରି ନେଇଥିଲେ। ସେହିପରି ଟାଙ୍ଗୀ ଅଞ୍ଚଳରେ ଘରେ ତାଲା ଭାଙ୍ଗି ମଧ୍ୟ ଚୋରି ହୋଇଥିଲା। ଏହି ଘଟଣାର ତଦନ୍ତ ନେଇ ଏସ୍ପିଙ୍କ ନିର୍ଦ୍ଦେଶରେ ବାଲୁଗାଁ ଏସ୍ଡିପିଓ ସଞ୍ଜୟ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା। ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଧରିବା ସହ ଚୋରି ସାମଗ୍ରୀ ଜବତ କରିଥିଲା। ଅପରପକ୍ଷେ ଅଭିଯୁକ୍ତମାନେ ଅନ୍ୟ କୌଣସି ଅପରାଧିକ ଘଟଣାରେ ଜଡିତ ଅଛନ୍ତି କି ନାହିଁ ତାହାର ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍ପି କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ