
ତେହେରାନ (ଇରାନ), ନଭେମ୍ବର ୦୧ (ହି.ସ.)। ମଧ୍ୟପ୍ରାଚ୍ୟରେ ଉତ୍ତେଜନାର ପ୍ରମୁଖ କାରଣ ପାଲଟିଥିବା ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବା ନେଇ କତାରର ମଧ୍ୟସ୍ଥମାନଙ୍କ ସହ ଇରାନର ଶୀର୍ଷ ନେତାମାନଙ୍କ ଆଲୋଚନା ଜାରି ରହିଛି। ଇରାନ କତାରକୁ ସ୍ପଷ୍ଟ କରିଦେଇଛି ଯେ, ଆମେରିକା ପ୍ରଥମେ ତା'ର ସର୍ତ୍ତଗୁଡ଼ିକ ମାନିବାକୁ ପ୍ରସ୍ତୁତ ହେବା ଆବଶ୍ୟକ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ, ଆମେରିକା ସର୍ତ୍ତଗୁଡ଼ିକ ମାନିନେଲେ ଦୁଇ ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲି ଦିଆଯିବ।
ଅଲ୍ଜଜିରା ଏବଂ ଇର୍ନାର ରିପୋର୍ଟ ଅନୁଯାୟୀ, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କତାରର ମଧ୍ୟସ୍ଥମାନଙ୍କ ସହ ଚାଲିଥିବା ଆଲୋଚନାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀକୁ ଦୁଇ ଦିନ ମଧ୍ୟରେ ପୁନର୍ବାର ଖୋଲିବା ଯୋଜନାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ଏଥିପାଇଁ କେବଳ ଗୋଟିଏ ସର୍ତ୍ତ ରହିଛି। ଆମେରିକାକୁ ଇରାନର ସମସ୍ତ ଦାବି ମାନିବାକୁ ପଡ଼ିବ।
ଅନ୍ୟପକ୍ଷରେ, ଇରାନର ସୁରକ୍ଷା ମୁଖ୍ୟ ମୋହସେନ ରେଜାଇ କହିଛନ୍ତି ଯେ, ସେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଚିଠି ଦେଖିଛନ୍ତି। ଏହାର ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ, ୱାଶିଂଟନର ଆଭିମୁଖ୍ୟରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଛି। ସେ ଏହି ପରିବର୍ତ୍ତନକୁ ଏକ ସକାରାତ୍ମକ ସଙ୍କେତ ବୋଲି କହିଛନ୍ତି।
ଏହି ସମୟରେ ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇ ନିଜର ସାମରିକ କମାଣ୍ଡରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆମେରିକା ଓ ଇସ୍ରାଏଲ ପକ୍ଷରୁ ଆସିପାରୁଥିବା ଯେକୌଣସି ସମ୍ଭାବ୍ୟ ବିପଦର ଭୌଗୋଳିକ ସୀମା ନିର୍ବିଶେଷରେ ତୁରନ୍ତ ଓ ପ୍ରଭାବଶାଳୀ ଜବାବ ଦିଆଯାଉ।ଇରାନର ସଶସ୍ତ୍ର ବାହିନୀର ଚିଫ୍ ଅଫ୍ ଷ୍ଟାଫ୍ ମେଜର ଜେନେରାଲ ଅଲି ଅବଦୁଲ୍ଲାହି କହିଛନ୍ତି ଯେ, ଖାମେନେଇଙ୍କ ନିର୍ଦ୍ଦେଶ ପରେ ଇରାନୀ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା