
ଇସଲାମାବାଦ (ପାକିସ୍ତାନ), ନଭେମ୍ବର ୦୧ (ହି.ସ.)। ପାକିସ୍ତାନର ସଂଘୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶନିବାର ବିଳମ୍ବିତ ରାତିରେ କାବୁଲକୁ କଡ଼ା ଭର୍ତ୍ସନା କରି କହିଛି ଯେ, ତାଲିବାନ ନେତୃତ୍ୱ ନିଜ ଦାୟିତ୍ୱରୁ ଦୂରେଇ ଯାଉଛି। ଦୁଇ ଦେଶ ମଧ୍ୟରେ ତିକ୍ତତାପୂର୍ଣ୍ଣ ସମ୍ପର୍କର ପ୍ରକୃତ କାରଣ ଅର୍ଥାତ୍ ଆଫଗାନିସ୍ତାନରୁ ପରିଚାଳିତ ହେଉଥିବା ଆତଙ୍କବାଦୀଙ୍କ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ପରିବର୍ତ୍ତେ ତାଲିବାନ ପ୍ରଶାସନ ଇସଲାମାବାଦର ନୀତିକୁ ଦୋଷ ଦେଉଛି। ମନ୍ତ୍ରଣାଳୟ ଚେତାବନୀ ଦେଇ କହିଛି, “ଆତଙ୍କବାଦ ପ୍ରସଙ୍ଗରେ ଆଫଗାନିସ୍ତାନର ନିଷ୍କ୍ରିୟତାକୁ ଆଉ ସହ୍ୟ କରାଯିବ ନାହିଁ।”
'ଦି ନ୍ୟୁଜ୍'ର ରିପୋର୍ଟ ଅନୁଯାୟୀ, ମନ୍ତ୍ରଣାଳୟ କହିଛି, “ପାକିସ୍ତାନର ଆଭିମୁଖ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ। ଆତଙ୍କବାଦ ଗ୍ରହଣୀୟ ନୁହେଁ। ନିଜ ନାଗରିକଙ୍କ ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ୍ କରାଯାଇପାରିବ ନାହିଁ। ସୀମାପାରରେ ଥିବା ଏଭଳି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଇସଲାମାବାଦ ସହ୍ୟ କରିବ ନାହିଁ, ଯାହା ତା'ର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଜାତୀୟ ସୁରକ୍ଷା ପ୍ରତି ସୃଷ୍ଟି ହେଉଥିବା ବିପଦକୁ ଦୂର କରିବା ପାଇଁ ପାକିସ୍ତାନ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାର ରଖିଛି। ଏହି ବିପଦ ଯେକୌଣସି ସ୍ଥାନରୁ ଆସିଥିଲେ ମଧ୍ୟ ତାହାର ମୁକାବିଲା କରାଯିବ।”
ମନ୍ତ୍ରଣାଳୟ ଆହୁରି କହିଛି, “ଏହି ପରିସ୍ଥିତି ପାଇଁ ଆଫଗାନ ତାଲିବାନ ଶାସନ ଦାୟୀ।” କାବୁଲର ଅଭିଯୋଗକୁ ଖଣ୍ଡନ କରି ମନ୍ତ୍ରଣାଳୟ କହିଛି ଯେ, ଆଫଗାନ ତାଲିବାନ ନିଜ ଦାୟିତ୍ୱରୁ ଖସିଯାଇପାରିବ ନାହିଁ। ପାକିସ୍ତାନର ସୁରକ୍ଷାକୁ ଆଫଗାନ ତାଲିବାନର ନିଷ୍କ୍ରିୟତା, ଟାଳଟୁଳ ନୀତି କିମ୍ବା ଭୁଲ୍ ପ୍ରାଥମିକତାର ବନ୍ଧକ ହେବାକୁ ଦିଆଯିବ ନାହିଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଇସଲାମାବାଦ ଓ କାବୁଲ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଏହି ନୂତନ ବିବୃତି ସାମ୍ନାକୁ ଆସିଛି।
'ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଫର୍ କନଫ୍ଲିକ୍ଟ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜ୍'ର ତଥ୍ୟ ଅନୁଯାୟୀ, ୨୦୨୬ ସେପ୍ଟେମ୍ବର ମାସରେ ପାକିସ୍ତାନରେ ୨୨୫ଟି ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଗତ ୧୨ ବର୍ଷ ମଧ୍ୟରେ ଗୋଟିଏ ମାସରେ ଘଟିଥିବା ଏହା ସର୍ବାଧିକ ଆକ୍ରମଣ। କୂଟନୈତିକ ଆଲୋଚନା ଓ ମଧ୍ୟସ୍ଥତା ପାଇଁ ଉଦ୍ୟମ ସତ୍ତ୍ୱେ ଏହି ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ବିବାଦର ଏକ ପ୍ରମୁଖ କାରଣ ହୋଇ ରହିଛି।
ସେପ୍ଟେମ୍ବର ମାସରେ ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଥିଲେ ଯେ, କାବୁଲ ଇସଲାମାବାଦ ସହ ଆଲୋଚନା ଓ ସହଯୋଗ ଜାରି ରଖିବାକୁ ଚାହୁଁଛି। ଅନ୍ୟପକ୍ଷରେ, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବା ପାଇଁ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକ ବିରୋଧରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ପାକିସ୍ତାନ କହିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା