
ଢାକା (ବାଂଲାଦେଶ), ନଭେମ୍ବର ୦୧ (ହି.ସ.)। ବାଂଲାଦେଶର ଦକ୍ଷିଣ-ପଶ୍ଚିମାଞ୍ଚଳର ଖୁଲନା ଅନ୍ତର୍ଗତ ସାତଖିରାର ପାଟକେଲଘାଟା ଅଞ୍ଚଳରେ ଘଟିଥିବା ଏକ ବସ୍ ଦୁର୍ଘଟଣାରେ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଜମାତ-ଏ-ଇସଲାମୀର ଅତିକମ୍ରେ ୩୦ ଜଣ କର୍ମୀ ଆହତ ହୋଇଛନ୍ତି। କର୍ମୀମାନେ ଯାତ୍ରା କରୁଥିବା ବସ୍ଟି ରାସ୍ତାକଡ଼ରେ ଥିବା ଏକ ଖାଇକୁ ଖସି ପଡ଼ିଥିଲା। ଶନିବାର ରାତି ପ୍ରାୟ ୮ଟା ୩୦ ମିନିଟ୍ରେ ଖୁଲନା-ସାତଖିରା ରାଜପଥର ଚାରାବୋତୋଲା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଜମାତ କର୍ମୀମାନେ ଖୁଲନାରେ ଆୟୋଜିତ ୧୧ ଦଳୀୟ ମେଣ୍ଟର ରୋଡ୍ ମାର୍ଚ୍ଚରେ ଯୋଗଦେଇ ଫେରୁଥିଲେ।
'ଢାକା ଟ୍ରିବ୍ୟୁନ୍'ର ରିପୋର୍ଟ ଅନୁଯାୟୀ, ମୃତକଙ୍କ ପରିଚୟ ୬୫ ବର୍ଷୀୟ ଅବଦୁଲ ଖାଲିକ ମୋଲ୍ଲାହ ବୋଲି ଜଣାପଡ଼ିଛି। ସେ ପାଟକେଲଘାଟାର କାଶିଆଡାଙ୍ଗା ଗ୍ରାମର ବାସିନ୍ଦା ଥିଲେ। ତାଙ୍କ ପଡ଼ୋଶୀ ରିପନ ମୁଲ୍ଲା କହିଛନ୍ତି ଯେ, ଖୁଲନାରେ ରୋଡ୍ ମାର୍ଚ୍ଚରେ ଯୋଗଦେବା ପରେ ଜମାତ କର୍ମୀମାନେ ବସ୍ରେ ସାତଖିରା ଫେରୁଥିଲେ। ଏହି ସମୟରେ ଅବଦୁଲ ଖାଲିକ ଚାରାବୋତୋଲା ଛକ ନିକଟରେ ରାସ୍ତା ପାର୍ ହେଉଥିବାବେଳେ ବସ୍ଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବସ୍ଟି ରାସ୍ତାକଡ଼ରେ ଥିବା ଏକ ଖାଇକୁ ଖସି ପଡ଼ିଥିଲା।
ସାତଖିରା ଜମାତର ମହାସଚିବ ଅଜିଜୁର ରହମାନ କହିଛନ୍ତି ଯେ, ରୋଡ୍ ମାର୍ଚ୍ଚରୁ ଫେରୁଥିବା ସମୟରେ ଜଣେ ବୃଦ୍ଧ ହଠାତ୍ ବସ୍ ସମ୍ମୁଖକୁ ଚାଲି ଆସିଥିଲେ। ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବା ସମୟରେ ଆମ ନେତା ଓ କର୍ମୀମାନେ ଯାତ୍ରା କରୁଥିବା ବସ୍ଟି ରାସ୍ତାରୁ ଖସି ଖାଇ ମଧ୍ୟକୁ ପଶିଯାଇଥିଲା। ଏଥିରେ ଅତିକମ୍ରେ ୩୦ ଜଣ କର୍ମୀ ଆହତ ହୋଇଛନ୍ତି ଏବଂ ସେହି ବୃଦ୍ଧଙ୍କର ମଧ୍ୟ ମୃତ୍ୟୁ ହୋଇଛି।ପାଟକେଲଘାଟା ଥାନାର ଭାରପ୍ରାପ୍ତ ଅଧିକାରୀ ତଫଜଲ ହୁସେନ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ବସ୍ ଚାଳକଙ୍କ ଅବସ୍ଥା ଗୁରୁତର ରହିଛି, ଅନ୍ୟ ଆହତମାନଙ୍କୁ ସାମାନ୍ୟ ଆଘାତ ଲାଗିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା