ଅହମ୍ମଦାବାଦକୁ ଅମିତ ଶାହଙ୍କ ୧,୪୦୦ କୋଟି ଟଙ୍କାର ବିକାଶମୂଳକ ଉପହାର, ସରଖେଜ-ଇସ୍କନ ଓଭରବ୍ରିଜ୍ ଲୋକାର୍ପଣ
ଅହମ୍ମଦାବାଦ, ୦୯ ନଭେମ୍ବର (ହି.ସ.)। କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ସୋମବାର ଅହମ୍ମଦାବାଦକୁ ବିକାଶମୂଳକ କାର୍ଯ୍ୟର ଏକ ବଡ଼ ଉପହାର ଦେଇ ୧,୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ୪୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ସରଖେ
केंद्रीय गृह एवं सहकारिता मंत्री अमित शाह अहमदाबाद में लोकार्पण और शिलान्यास करते हुए


ଅହମ୍ମଦାବାଦ, ୦୯ ନଭେମ୍ବର (ହି.ସ.)। କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ସୋମବାର ଅହମ୍ମଦାବାଦକୁ ବିକାଶମୂଳକ କାର୍ଯ୍ୟର ଏକ ବଡ଼ ଉପହାର ଦେଇ ୧,୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି।

ଏହି ଅବସରରେ ସେ ୪୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ସରଖେଜ-ଇସ୍କନ ଏଲିଭେଟେଡ୍ ଓଭରବ୍ରିଜ୍ର ଉଦ୍ଘାଟନ କରି ଏହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି। ଏଥିସହ ୱାଡଜସ୍ଥିତ ରାମାପୀର ଟେକରାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମିତ ଘରର ହିତାଧିକାରୀମାନଙ୍କୁ ଚାବି ହସ୍ତାନ୍ତର କରିଛନ୍ତି।

ଏହି ଅବସରରେ ଶାହ କହିଛନ୍ତି ଯେ, ପୂର୍ବରୁ ସରଖେଜରୁ ଗାନ୍ଧୀନଗର ପହଞ୍ଚିବା ପାଇଁ ଗାଡ଼ି ଚାଳକମାନଙ୍କୁ ଅଧିକ ସମୟ ଲାଗୁଥିଲା। କିନ୍ତୁ ଏବେ ଓଭରବ୍ରିଜ୍ ଆରମ୍ଭ ହେବା ପରେ ଟ୍ରାଫିକ୍ ସିଗନାଲରେ ନଅଟକି ସିଧାସଳଖ ଗାନ୍ଧୀନଗର ପହଞ୍ଚିବା ସମ୍ଭବ ହେବ। ଏହାଦ୍ୱାରା ପ୍ରତିଦିନ ୨ ଲକ୍ଷରୁ ଅଧିକ ଲୋକଙ୍କ ଯାତାୟାତ ସୁବିଧାଜନକ ହେବ। ଏହାସହ ଏସ୍ଜି ହାଇୱେରେ ଟ୍ରାଫିକ୍ ଚାପ ହ୍ରାସ ପାଇବ ଏବଂ ୱାଇଏମ୍ସିଏ, ପ୍ରହ୍ଲାଦନଗର ଓ କର୍ଣ୍ଣାବତୀ କ୍ଲବ୍ ଜଙ୍କସନ୍ରେ ଲାଗୁଥିବା ଟ୍ରାଫିକ୍ ଜାମ୍ରୁ ମଧ୍ୟ ଲୋକଙ୍କୁ ଆଶ୍ୱସ୍ତି ମିଳିବ।

ରାମାପୀର ଟେକରାର ବିକାଶ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ୧୯୮୫ ମସିହାରେ ଯେତେବେଳେ ସେ ଏଠାକୁ ନିର୍ବାଚନ କାର୍ଯ୍ୟ ପାଇଁ ଆସୁଥିଲେ, ସେତେବେଳେ ଏହି ଅଞ୍ଚଳର ସ୍ଥିତି ଅତ୍ୟନ୍ତ ଦୟନୀୟ ଥିଲା। ଏଠାରେ ପାନୀୟ ଜଳ, ପିଲାମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାର ଅଭାବ ରହିଥିଲା। ସେହି ସମୟରେ ପ୍ରାୟ ୫୦ରୁ ୫୫ ହଜାର ଲୋକ ବସ୍ତିରେ ରହି ଜୀବନଯାପନ କରୁଥିଲେ। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦୭ ମସିହାରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବସ୍ତିବାସିନ୍ଦାଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଗକୁ ବଢ଼ାଉଛନ୍ତି। ଆଜି ଏଠାକାର ଲୋକମାନଙ୍କୁ ସ୍ୱଚ୍ଛ ଓ ସମସ୍ତ ସୁବିଧାଯୁକ୍ତ ଘର ମିଳୁଛି।

ସେ କହିଛନ୍ତି ଯେ, ଏହି ଆବାସିକ ପରିସରଗୁଡ଼ିକରେ ସାମାଜିକ ସୁରକ୍ଷା, ମନୋରଞ୍ଜନ, ପାଠାଗାର, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସୁବିଧା ମଧ୍ୟ ଉପଲବ୍ଧ ହେବ। ଏହାଦ୍ୱାରା ନୂତନ ପିଢ଼ିକୁ ଏକ ଉନ୍ନତ ପରିବେଶ ମିଳିବ ଏବଂ ପିଲାମାନେ ପାଠପଢ଼ା ପ୍ରତି ଅଧିକ ଉତ୍ସାହିତ ହେବେ। ନିଜ ପିଲାମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବାକୁ ସେ ହିତାଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି।

କେନ୍ଦ୍ରୀୟ ଗୃହମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଯେ, କଂଗ୍ରେସ ଦୀର୍ଘ ସମୟ ଧରି ଦେଶ ଓ ଗୁଜରାଟରେ ଶାସନ କରିଥିଲେ ମଧ୍ୟ ରାମାପୀର ଟେକରା ଭଳି ଅଞ୍ଚଳର ସମସ୍ୟା ପ୍ରତି ଯଥେଷ୍ଟ ଧ୍ୟାନ ଦେଇନଥିଲା। ୧୯୯୫ ମସିହାରେ ବିଜେପିର ପ୍ରଥମ କାଉନସିଲର ନିର୍ବାଚନ ଜିତିବା ପରେ ଏହି ଅଞ୍ଚଳରେ ଦଳକୁ ଜନସମର୍ଥନ ମିଳିବା ଆରମ୍ଭ ହୋଇଥିଲା। ଅଞ୍ଚଳର ବିକାଶକୁ ନେଇ ସେ ସନ୍ତୋଷ ପ୍ରକାଶ କରିଛନ୍ତି।

ଗୁଜରାଟକୁ ନିଶାମୁକ୍ତ କରିବାର ସଂକଳ୍ପ ଦୋହରାଇ ଶାହ କହିଛନ୍ତି ଯେ, ୨୦୨୮ ଡିସେମ୍ବର ୩୧ ସୁଦ୍ଧା ରାଜ୍ୟକୁ ନିଶାଦ୍ରବ୍ୟ ମୁକ୍ତ କରିବାର ଲକ୍ଷ୍ୟ ରଖାଯାଇଛି। ନିଶାଦ୍ରବ୍ୟ ସମ୍ବନ୍ଧୀୟ କୌଣସି କାର୍ଯ୍ୟକଳାପ ବିଷୟରେ ସୂଚନା ମିଳିଲେ ହେଲ୍ପଲାଇନ୍ ନମ୍ବର ୧୦୩୩ରେ ଜଣାଇବାକୁ ସେ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି। ସୂଚନା ପ୍ରଦାନକାରୀଙ୍କ ନାମ ଗୋପନ ରଖାଯିବ ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମ ସମୟରେ ଅମିତ ଶାହ ଯୋଧପୁରରେ ନବନିର୍ମିତ ‘ନଲେଜ୍ ହବ୍’ ଏବଂ ଗୋଟାଠାରେ ଏକ ଅର୍ବାନ୍ ହେଲ୍ଥ ସେଣ୍ଟରର ମଧ୍ୟ ଉଦ୍ଘାଟନ କରିଛନ୍ତି। ଏହାବ୍ୟତୀତ ସେ ଜସପୁର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଭୂମିପୂଜନ କରିଛନ୍ତି। ପଶ୍ଚିମ ଅହମ୍ମଦାବାଦରେ ବଢ଼ୁଥିବା ଜନସଂଖ୍ୟାକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ଦିଗରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande