
ନୂଆଦିଲ୍ଲୀ/ଲଣ୍ଡନ, ୦୯ ନଭେମ୍ବର (ହି.ସ.)। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତାଙ୍କ ଆଇନଗତ ପରାମର୍ଶଦାତାଙ୍କ ଜରିଆରେ ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ଉଚ୍ଚାୟୋଗ ସହ ଆନୁଷ୍ଠାନିକ ଭାବେ ଯୋଗାଯୋଗ କରି ତାଙ୍କ ପାଇଁ ଏକ ନୂତନ ବାଂଲାଦେଶୀ ପାସପୋର୍ଟ ଏବଂ ଜାତୀୟ ପରିଚୟପତ୍ର (ଏନ୍ଆଇଡି) ଜାରି କରିବାକୁ ଅନୁରୋଧ କରିଛନ୍ତି।
ଭାରତରେ ବାଂଲାଦେଶର କାର୍ଯ୍ୟକାରୀ ଉଚ୍ଚାୟୁକ୍ତ ପ୍ରୀତି ରହମାନଙ୍କୁ ସମ୍ବୋଧିତ ଏକ ପତ୍ରରେ ଲଣ୍ଡନସ୍ଥିତ ମ୍ୟାଟ୍ରିକ୍ସ ଚେମ୍ବର୍ସର ବାରିଷ୍ଟର ଷ୍ଟିଭେନ୍ ପାୱେଲ୍ସ କେସି କହିଛନ୍ତି ଯେ, ଅନ୍ତରୀଣ ସରକାର ଏବଂ ଅନ୍ୟ ଅଧିକାରୀମାନେ କଥିତ ଭାବେ ହସିନାଙ୍କ ବର୍ତ୍ତମାନର ପାସପୋର୍ଟ ଓ ଏନ୍ଆଇଡିକୁ ରଦ୍ଦ କରିଦେବା ପରେ ଏହି ଅନୁରୋଧ କରାଯାଇଛି।
ପତ୍ରରେ ଏହା ଉପରେ ଜୋର ଦିଆଯାଇଛି ଯେ, ଶେଖ୍ ହସିନାଙ୍କ ବାଂଲାଦେଶୀ ନାଗରିକତା ଆଧାରରେ ଏହି ଆବେଦନ କରାଯାଇଛି। ଏଥିସହ ବାଂଲାଦେଶର ଆଇନ ଅନୁଯାୟୀ ସୃଷ୍ଟି ହେଉଥିବା ଦାୟିତ୍ୱ ସହିତ ପ୍ରଯୁଜ୍ୟ ଅନ୍ତର୍ଜାତୀୟ ମାନବାଧିକାର ନିୟମାବଳୀ ଅନୁସାରେ ରହିଥିବା ଦାୟିତ୍ୱଗୁଡ଼ିକର ମଧ୍ୟ ଉଲ୍ଲେଖ କରାଯାଇଛି।
ଆଇନଗତ ପ୍ରତିନିଧି ଉଚ୍ଚାୟୋଗକୁ ଏହି ମାମଲାର ଯାଞ୍ଚ କରିବା ସହ ନୂତନ ଦସ୍ତାବିଜ ତୁରନ୍ତ ଜାରି କରିବା ପାଇଁ ଆବଶ୍ୟକ ଔପଚାରିକତା ଏବଂ ଦସ୍ତାବିଜ ସମ୍ପର୍କରେ ଅବଗତ କରାଇବାକୁ ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଭାରତରେ ପ୍ରାୟ ଅଢ଼େଇ ବର୍ଷ ଧରି ନିର୍ବାସିତ ଜୀବନ ବିତାଉଥିବା ଶେଖ୍ ହସିନା ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ, ସେ ଡିସେମ୍ବର ମାସରେ ନିଜ ଦେଶକୁ ଫେରିବେ ଏବଂ ତାଙ୍କ ବିରୋଧରେ ତଥା ଆୱାମୀ ଲିଗ୍ ବିରୋଧରେ ଲଗାଯାଇଥିବା ଅଭିଯୋଗଗୁଡ଼ିକର ଗଣତାନ୍ତ୍ରିକ ଉପାୟରେ ମୁକାବିଲା କରିବେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା