ଛଟ୍ ପର୍ବରେ ଯାତ୍ରୀଙ୍କ ପାଇଁ ରେଳବାଇର ସ୍ୱତନ୍ତ୍ର ବ୍ୟବସ୍ଥା, ଦିଲ୍ଲୀର ପ୍ରମୁଖ ଷ୍ଟେସନରେ ଅଧିକାରୀଙ୍କ ତଦାରଖ
ନୂଆଦିଲ୍ଲୀ, ୦୯ ନଭେମ୍ବର (ହି.ସ.)- ଛଟ୍ ପର୍ବ ଅବସରରେ ଯାତ୍ରୀଙ୍କ ସୁବିଧା ଓ ଭିଡ଼ର ସୁପରିଚାଳନା ପାଇଁ ଉତର ରେଳବାଇ ପକ୍ଷରୁ ନୂଆଦିଲ୍ଲୀ ରେଳ ଷ୍ଟେସନ ଏବଂ ଆନନ୍ଦ ବିହାର ଟର୍ମିନାଲରେ ସ୍ଥାୟୀ ହୋଲ୍ଡିଂ ଏରିଆ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଆନନ୍ଦ ବିହାର ଟର୍ମିନାଲରେ ଅସ୍ଥାୟୀ ହୋଲ୍ଡିଂ ଏରିଆ (ଟ
ଛଟ୍ ପର୍ବରେ ଯାତ୍ରୀଙ୍କ ପାଇଁ ରେଳବାଇର ସ୍ୱତନ୍ତ୍ର ବ୍ୟବସ୍ଥା, ଦିଲ୍ଲୀର ପ୍ରମୁଖ ଷ୍ଟେସନରେ ଅଧିକାରୀଙ୍କ ତଦାରଖ


ନୂଆଦିଲ୍ଲୀ, ୦୯ ନଭେମ୍ବର (ହି.ସ.)- ଛଟ୍ ପର୍ବ ଅବସରରେ ଯାତ୍ରୀଙ୍କ ସୁବିଧା ଓ ଭିଡ଼ର ସୁପରିଚାଳନା ପାଇଁ ଉତର ରେଳବାଇ ପକ୍ଷରୁ ନୂଆଦିଲ୍ଲୀ ରେଳ ଷ୍ଟେସନ ଏବଂ ଆନନ୍ଦ ବିହାର ଟର୍ମିନାଲରେ ସ୍ଥାୟୀ ହୋଲ୍ଡିଂ ଏରିଆ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଆନନ୍ଦ ବିହାର ଟର୍ମିନାଲରେ ଅସ୍ଥାୟୀ ହୋଲ୍ଡିଂ ଏରିଆ (ଟେଂଟ) ମଧ୍ୟ ପ୍ରସ୍ତୁତ କରାଯାଇଛି।

ଉତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି ଯେ, ନୂଆଦିଲ୍ଲୀ ରେଳ ଷ୍ଟେସନରେ ୨୦୨୫ ମସିହାରେ ସ୍ଥାୟୀ ହୋଲ୍ଡିଂ ଏରିଆ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଆନନ୍ଦ ବିହାର ଟର୍ମିନାଲରେ ଏହା କାର୍ଯ୍ୟକ୍ଷମ ହୋଇଛି। ଏହି ହୋଲ୍ଡିଂ ଏରିଆଗୁଡ଼ିକରେ ଅଣସଂରକ୍ଷିତ ଟିକେଟ୍ କାଉଂଟର, ଶୌଚାଳୟ, ସ୍ୱୟଂଚାଳିତ ଟିକେଟ୍ ବିକ୍ରୟ ମେସିନ୍ (ଏଟିଭିଏମ୍), ଖାଦ୍ୟପେୟ ଷ୍ଟଲ୍, ମାୟ ଆଇ ହେଲ୍ପ ୟୁ' ବୁଥ୍ ଏବଂ ଘୋଷଣା ବ୍ୟବସ୍ଥା ଭଳି ସୁବିଧା ଉପଲବ୍ଧ କରାଯାଇଛି। ରେଳ କର୍ମଚାରୀମାନେ ଯାତ୍ରୀଙ୍କୁ ନିରନ୍ତର ମାର୍ଗଦର୍ଶନ ଓ ସହାୟତା ଯୋଗାଇ ଦେଉଛନ୍ତି। ଦିଲ୍ଲୀ ଅଂଚଳର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଛଟ୍ ପର୍ବ ସମ୍ବନ୍ଧୀୟ ଗୀତ ମଧ୍ୟ ବଜାଯାଉଛି।

ସେ କହିଛନ୍ତି ଯେ, ସୋମବାର ଦିଲ୍ଲୀ ଅଂଚଳର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରୁ ମୋଟ ୨୩ଟି ସ୍ୱତନ୍ତ୍ର ଟ୍ରେନ୍ ଛାଡ଼ିବା ପାଇଁ ନିର୍ଦ୍ଧାରିତ ହୋଇଛି। ଏଥିମଧ୍ୟରେ ଆନନ୍ଦ ବିହାର ଟର୍ମିନାଲରୁ ୮ଟି, ନୂଆଦିଲ୍ଲୀରୁ ୬ଟି, ହଜରତ ନିଜାମୁଦ୍ଦିନରୁ ୩ଟି, ଶକୁରବସ୍ତିରୁ ୩ଟି, ଦିଲ୍ଲୀ ଜଙ୍କସନରୁ ୨ଟି ଏବଂ ରୋହତକରୁ ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍ ରହିଛି।

ଯାତ୍ରୀଙ୍କ ଭିଡ଼ ଉପରେ ଉତର ରେଳବାଇ ନିରନ୍ତର ନଜର ରଖିଛି। ଯାତ୍ରୀଙ୍କ ସଂଖ୍ୟା ଓ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଚଳାଚଳ କରାଯିବ। ଭିଡ଼ ପରିଚାଳନାର ତଦାରଖ ପାଇଁ ମଣ୍ଡଳ ରେଳ ପ୍ରବନ୍ଧକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଏବଂ ମଣ୍ଡଳ ଓ ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ନିୟୋଜିତ ହୋଇ ବ୍ୟବସ୍ଥାର ତଦାରଖ କରୁଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande