
ଶ୍ରୀନଗର, ୦୯ ନଭେମ୍ବର (ହି.ସ.) - ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ’ (ପିଏମ୍ଇଜିପି)ର କଥିତ ଦୁରୁପଯୋଗ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଶ୍ରୀନଗର ଓ ବାନ୍ଦିପୋରା ଜିଲ୍ଲାରେ ୧୦.୬୩ କୋଟି ଟଙ୍କା ମୂଲ୍ୟର ୧୧ଟି ସ୍ଥାବର ସମ୍ପତିକୁ ଅସ୍ଥାୟୀ ଭାବେ ଜବତ କରିଛି। ଏହି ସମ୍ପତିଗୁଡ଼ିକୁ ୨୦୦୨ର ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ) ଅନୁଯାୟୀ ଜବତ କରାଯାଇଛି।
ଇଡିର ଶ୍ରୀନଗର ଜୋନାଲ କାର୍ଯ୍ୟାଳୟର ମୁଖପାତ୍ର କହିଛନ୍ତି ଯେ ଶ୍ରୀନଗର ଓ ବାନ୍ଦିପୋରା ଜିଲ୍ଲାରେ ଥିବା ୧୧ଟି ସମ୍ପତି (ଜମି ଓ କୋଠାବାଡ଼ି ସମେତ) ପାଇଁ ଅସ୍ଥାୟୀ ଜବତ ଆଦେଶ ଜାରି ହୋଇଛି। ଏହି ସମ୍ପତିଗୁଡ଼ିକ କଥିତ ଭାବେ ଯୋଗାଣକାରୀ-ଦଲାଲ, ଜମ୍ମୁ-କଶ୍ମୀର ବ୍ୟାଙ୍କର କିଛି ଅଧିକାରୀ ଏବଂ ପିଏମ୍ଇଜିପି ଯୋଜନାର ଦୁରୁପଯୋଗରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ଦଖଲରେ ରହିଛି। ଏସିବି ଓ ସିବିଆଇ ଶ୍ରୀନଗରରେ ରୁଜୁ ହୋଇଥିବା ଦୁଇଟି ଏଫ୍ଆଇଆର ଆଧାରରେ ଇଡି ତଦନ୍ତ ଆରମ୍ଭ କରିଥିଲା।
ଏହି ଏଫ୍ଆଇଆର ଗୁଡ଼ିକରେ ଅଭିଯୋଗ ହୋଇଛି ଯେ ପିଏମ୍ଇଜିପି ଯୋଜନା ଅଧୀନରେ ନିଆଯାଇଥିବା ଋଣ ଟଙ୍କା ହଡ଼ପ କରାଯାଇଥିଲା। ଯୋଜନାରେ ଋଣ ନେଇଥିବା ବ୍ୟକ୍ତି, ଜମ୍ମୁ-କଶ୍ମୀର ବ୍ୟାଙ୍କର ସୁମ୍ବଲ ଓ ଗମୁଦ ଗଧଖୁଡ଼ ଶାଖାର ଅଧିକାରୀ ଏବଂ ଅନ୍ୟ କେତେକ ଅଜ୍ଞାତ ବ୍ୟକ୍ତିଙ୍କ ମଧ୍ୟରେ ଅପରାଧିକ ଷଡ଼ଯନ୍ତ୍ର ହୋଇଥିଲା। ସେମାନେ ବ୍ୟାଙ୍କ ସହ ଠକେଇ କରି ଅର୍ଥ ହଡ଼ପ କରିଥିଲେ। ଫଳରେ ବ୍ୟାଙ୍କର କ୍ଷତି ହୋଇଥିବା ବେଳେ ଅଭିଯୁକ୍ତମାନେ ଅନୁଚିତ ଲାଭ ପାଇଥିଲେ।
ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ତଦନ୍ତରୁ ଜଣାପଡ଼ିଛି ଯେ ପିଏମ୍ଇଜିପି ଋଣ ହାସଲ କରିବା ପାଇଁ ଜାଲ୍ ଋଣଗ୍ରହୀତାଙ୍କୁ ଠିଆ କରାଯାଇଥିଲା। ଏଥିପାଇଁ ବାସ୍ତବରେ ଅସ୍ତିତ୍ୱ ନଥିବା କମ୍ପାନୀ ଓ ଫାର୍ମଗୁଡ଼ିକର ଜାଲ୍ ଇନ୍ଭଏସ୍ ବ୍ୟବହାର କରାଯାଇଥିଲା। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଜମ୍ମୁ-କଶ୍ମୀର ବ୍ୟାଙ୍କର ସୁମ୍ବଲ ଓ ଗମୁଦ ଗଧଖୁଡ଼ ଶାଖାର ଅଧିକାରୀ ଏବଂ ଘରୋଇ ବ୍ୟକ୍ତି-ଦଲାଲଙ୍କ ମଧ୍ୟରେ ଅପରାଧିକ ଷଡ଼ଯନ୍ତ୍ର ହୋଇଥିଲା।
ସିବିଆଇ ଓ ଏସିବି ମଧ୍ୟ ଜୁନ୍ ୨୦୨୬ରେ ଏହି ମାମଲାରେ ପୃଥକ୍ ପୃଥକ୍ ଏଫ୍ଆଇଆର ରୁଜୁ କରିଥିଲେ। ଜମ୍ମୁ-କଶ୍ମୀର ବ୍ୟାଙ୍କର ସୁମ୍ବଲ ଓ ଗମୁଦ ଗଧଖୁଡ଼ ଶାଖାରେ କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା ଯେ ପିଏମ୍ଇଜିପି ଯୋଜନା ଅଧୀନରେ ୨୭୦ଟି ଟର୍ମ ଲୋନ୍ ଖାତା ଏବଂ ସେହି ସଂଖ୍ୟକ ୱାର୍କିଂ କ୍ୟାପିଟାଲ୍ ଖାତା ରହିଥିଲା। ଏଥିରେ ଅନାଦାୟ ଋଣ (ଏନ୍ପିଏ)ର ପରିମାଣ ୩୨ କୋଟି ଟଙ୍କା ଥିବା ଜଣାପଡ଼ିଥିଲା। ଅପରାଧରୁ ମିଳିଥିବା ଅର୍ଥକୁ ବିଭିନ୍ନ ବ୍ୟାଙ୍କ ଖାତା ମାଧ୍ୟମରେ ଏପଟସେପଟ କରାଯାଇଥିବା ସହ ଏହାକୁ ସମ୍ପତି ନିର୍ମାଣ, ନବୀକରଣ ଓ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରାଯାଇଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି।
ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ହିଲାଲ ଅହମ୍ମଦ ୱାନି ଓ ଅନ୍ୟମାନେ ଜାଲିଆତି କରି ପିଏମ୍ଇଜିପି ଋଣ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଜଣାପଡ଼ିଛି। କେୱାଇସି ଦସ୍ତାବିଜ ଓ ଅନ୍ୟ ରେକର୍ଡ ବ୍ୟବହାର କରି ଋଣଗ୍ରହୀତାମାନଙ୍କୁ ଋଣ ନେବା ପାଇଁ ପ୍ରବର୍ତାଯାଇଥିବା ଅଭିଯୋଗ ହୋଇଛି।
-------------------------------
ହିନ୍ଦୁସ୍ଥାନ ସମାଚାର / ଗଗନ