
ନୂଆଦିଲ୍ଲୀ, ୦୯ ନଭେମ୍ବର (ହି.ସ.)- ଆସନ୍ତା କିଛି ଦିନ ମଧ୍ୟରେ ଦେଶର ପାଣିପାଗରେ ବଡ଼ ପରିବର୍ତନ ହେବାର ସମ୍ଭାବନା ରହିଛି। ଗୋଟିଏ ପଟେ ଦିଲ୍ଲୀରେ ଥଣ୍ଡା ସହ କୁହୁଡ଼ିର ପ୍ରଭାବ ବଢ଼ିବାକୁ ଥିବା ବେଳେ ଅନ୍ୟପଟେ ପଶ୍ଚିମା ବିକ୍ଷୋଭ ପ୍ରଭାବରେ ଜମ୍ମୁ-କଶ୍ମୀର ସମେତ ଉତର-ପଶ୍ଚିମର ପାହାଡ଼ିଆ ଅଂଚଳଗୁଡ଼ିକରେ ପ୍ରବଳ ବର୍ଷା ଓ ତୁଷାରପାତ ହେବାର ପୂର୍ବାନୁମାନ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ଦିଲ୍ଲୀ-ଏନ୍ସିଆରରେ ଆସନ୍ତା ଦୁଇ ଦିନ ଆକାଶ ମୁଖ୍ୟତଃ ସଫା ରହିବାର ସମ୍ଭାବନା ରହିଛି। ସକାଳ ଓ ବିଳମ୍ବିତ ରାତିରେ ଅଧିକାଂଶ ଅଂଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ। ଏହି ସମୟରେ ସର୍ବାଧିକ ତାପମାତ୍ରା ୨୭ରୁ ୨୯ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୧୪ରୁ ୧୭ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି।
ଉତର-ପଶ୍ଚିମ ଭାରତରେ ୧୦ ନଭେମ୍ବର ରାତିରୁ ଏକ ନୂଆ ପଶ୍ଚିମା ବିକ୍ଷୋଭ ଉତର-ପଶ୍ଚିମ ହିମାଳୟ ଅଂଚଳକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଜମ୍ମୁ-କଶ୍ମୀର, ଲଦାଖ ଓ ମୁଜାଫରାବାଦରେ ୧୨-୧୩ ନଭେମ୍ବରରେ କଶ୍ମୀର ଉପତ୍ୟକା ଓ ଏହାର ଆଖପାଖ ଅଂଚଳରେ ପ୍ରବଳ ବର୍ଷା କିମ୍ବା ତୁଷାରପାତ ହେବାର ସମ୍ଭାବନା ଅଛି। ଏହି ସମୟରେ ଘଂଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି ହୋଇଛି।
ସେହିପରି ୧୦ରୁ ୧୫ ନଭେମ୍ବର ମଧ୍ୟରେ ହିମାଚଳ ପ୍ରଦେଶ ଓ ଉତରାଖଣ୍ଡର କେତେକ ସ୍ଥାନରେ ବର୍ଷା ଏବଂ ଉଚ୍ଚ ପାହାଡ଼ିଆ ଅଂଚଳରେ ତୁଷାରପାତ ହେବାର ପୂର୍ବାନୁମାନ ରହିଛି। ପଞ୍ଜାବର କେତେକ ସ୍ଥାନରେ ୧୨ରୁ ୧୫ ନଭେମ୍ବର ମଧ୍ୟରେ ହାଲୁକା ବର୍ଷା ହୋଇପାରେ।
ଦକ୍ଷିଣ ଓ ପୂର୍ବ ଭାରତର ଦକ୍ଷିଣ ଉପଦ୍ୱୀପ ଅଂଚଳରେ ତାମିଲନାଡୁରେ ୧୦ ନଭେମ୍ବର ଏବଂ କେରଳ ଓ ମାହେରେ ୧୦ରୁ ୧୫ ନଭେମ୍ବର ମଧ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। କୋମୋରିନ୍ ଅଂଚଳ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ କେରଳ ଓ ତାମିଲନାଡୁରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିବ। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ୧୦ରୁ ୧୫ ନଭେମ୍ବର ମଧ୍ୟରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ଅଛି। ଏଥିସହ ୧୦ରୁ ୧୪ ନଭେମ୍ବର ମଧ୍ୟରେ ଘଂଟା ପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପବନ ସହ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି।
ଉତର-ପୂର୍ବ ରାଜ୍ୟଗୁଡ଼ିକ ମଧ୍ୟରେ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ୧୦ରୁ ୧୨ ନଭେମ୍ବର ମଧ୍ୟରେ ବର୍ଷା ହେବାର ସମ୍ଭାବନା ଅଛି। ୧୧ ନଭେମ୍ବରରେ ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
-----------
ହିନ୍ଦୁସ୍ଥାନ ସମାଚାର / ଗଗନ