
ହଜାରିବାଗ, ୯ ନଭେମ୍ବର (ହି.ସ.)- ଝାଡ଼ଖଣ୍ଡ ରାଜ୍ୟ ହଜାରିବାଗ ଜିଲ୍ଲାର ଚୌପାରଣ ଥାନା ଅଂଚଳରେ ଅବସ୍ଥିତ ଦନୁଆ ଘାଟିରେ ସୋମବାର ଏକ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି । ଶବ ଅନ୍ତିମ ସଂସ୍କାର ପାଇଁ ବାରାଣସୀ ଯାଉଥିବା ଏକ ଯାତ୍ରୀବାହୀ ଗାଡ଼ିକୁ ଏକ ଦ୍ରୁତଗାମୀ ଟ୍ୟାଙ୍କର୍ ପଛରୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଧକ୍କା ଏତେ ତୀବ୍ର ଥିଲା ଯେ, ଗାଡ଼ିରେ ଥିବା ଯାତ୍ରୀମାନେ ଚିତ୍କାର କରିଥିଲେ ।
ପୁଲିସର ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଗିରିଡିହ ଜିଲ୍ଲା ବାଗୋଦର ଥାନା ଅଂଚଳର ବିହାରୋ ଏବଂ ସଲୈୟା ଗ୍ରାମର ବାସିନ୍ଦା ଥିଲେ । ଗାଡ଼ିଟି ବାଗୋଦରର ଅଟକାରୁ ଏକ ମୃତଦେହ ନେଇ ବାରାଣସୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଜିଟି ରୋଡର ଦାନୁଆ ଘାଟିରେ ପଛରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ୟାଙ୍କର ଗାଡ଼ିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଭାଗଦୌଡ଼ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ, ଆହତମାନଙ୍କୁ ହସ୍ପିଟାଲକୁ ନେବାରେ ସାହାଯ୍ୟ କରିଥିଲେ । ଖବର ପାଇ ଚୌପାରଣ ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଛି ।
ଚୌପାରଣ ଥାନା ଅଧିକାରୀ ପଙ୍କଜ କୁମାର ୫ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୧୪ ଜଣ ଆହତ ହୋଇଥିବାର ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ, ପୋଲିସ ଦୁର୍ଘଟଣାର କାରଣ ତଦନ୍ତ କରୁଛି । ମୃତକମାନଙ୍କ ଶବ ବର୍ତମାନ ହଜାରୀବାଗ ମେଡିକାଲ କଲେଜରେ ରଖାଯାଇଛି ।
ଦୁର୍ଘଟଣାରେ ପାଂଚ ଜଣଙ୍କ ମୃତ୍ୟୁ ଖବର ପାଇବା ପରେ ବିହାରୋ ଏବଂ ସଲୈୟା ଗାଁରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ପରିବାର ମର୍ମାହତ ହୋଇପଡିଛନ୍ତି । ପରିବାର ସଦସ୍ୟ ଏବଂ ଗ୍ରାମବାସୀ ଘଟଣାସ୍ଥଳ ଏବଂ ହସ୍ପିଟାଲରେ ପହଂଚିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ