ମହାରାଷ୍ଟ୍ରରେ ଭୟଙ୍କର ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୬ ସଦସ୍ୟଙ୍କ ମୃତ୍ୟୁ
ଧାରାଶିବ, ୯ ନଭେମ୍ବର (ହି.ସ.)- ମହାରାଷ୍ଟ୍ରର ଧାରାଶିବ ଜିଲ୍ଲାରେ ଏକ ଭୟଙ୍କର ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଛନ୍ତି । ପରିବାରର ଏକ ଶିଶୁ କୌଣସି ପ୍ରକାରେ ଏହି ଦୁଃଖଦ ଦୁର୍ଘଟଣାରୁ ନିଜ ଜୀବନ ବଂଚାଇବାରେ ସଫଳ ହୋଇଛି । ତାକୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଦୀପ
ମହାରାଷ୍ଟ୍ରରେ ଭୟଙ୍କର ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୬ ସଦସ୍ୟଙ୍କ ମୃତ୍ୟୁ


ଧାରାଶିବ, ୯ ନଭେମ୍ବର (ହି.ସ.)- ମହାରାଷ୍ଟ୍ରର ଧାରାଶିବ ଜିଲ୍ଲାରେ ଏକ ଭୟଙ୍କର ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଛନ୍ତି । ପରିବାରର ଏକ ଶିଶୁ କୌଣସି ପ୍ରକାରେ ଏହି ଦୁଃଖଦ ଦୁର୍ଘଟଣାରୁ ନିଜ ଜୀବନ ବଂଚାଇବାରେ ସଫଳ ହୋଇଛି । ତାକୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଦୀପାବଳି ପର୍ବ ସମୟରେ ଘଟିଥିବା ଏହି ହୃଦୟବିଦାରକ ଘଟଣାକୁ ନେଇ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ୟେଡଶି ଗ୍ରାମର ବାସିନ୍ଦା ଗୋବିନ୍ଦ କରଣ୍ଡେ ଲକ୍ଷ୍ମୀ ପୂଜା ପାଇଁ ତାଙ୍କ ଘର ଏବଂ ପାଖ କିରାଣା ଦୋକାନକୁ ସୁନ୍ଦର ଭାବରେ ସାଜସଜ୍ଜା କରିଥିଲେ । ଦିନ ତମାମ ଉତ୍ସବର ପ୍ରସ୍ତୁତି ଏବଂ ପୂଜା-ପାଠ ପରେ ପରିବାରର ସମସ୍ତ ସଦସ୍ୟ ରାତିରେ ଶୋଇବାକୁ ଯାଇଥିଲେ ।

ରାତି ପ୍ରାୟ ୨ଟା ୩୦ ମିନିଟ୍ ସମୟରେ, ତାଙ୍କ ଘରେ ହଠାତ୍ ନିଆଁ ଲାଗିଗଲା । ଚାହୁଁ ଚାହୁଁ ନିଆଁ କରାଳ ରୂପ ଧାରଣ କରିଥିଲା ଏବଂ ସମଗ୍ର ଘରକୁ ଗ୍ରାସ କରିଥିଲା । ନିଆଁ ଏତେ ଶୀଘ୍ର ବ୍ୟାପିଗଲା ଯେ ଘର ଭିତରେ ଶୋଇଥିବା ଲୋକମାନେ ନିଜକୁ ଏକାଠି କରି ବାହାରକୁ ବାହାରିବାକୁ ମଧ୍ୟ ସୁଯୋଗ ପାଇଲେ ନାହିଁ । ଏହି ଭୟଙ୍କର ଦୁର୍ଘଟଣାରେ ଗୋବିନ୍ଦ କରଣ୍ଡେ, ତାଙ୍କ ପତ୍ନୀ, ଦୁଇ ଝିଅ ଏବଂ ତାଙ୍କର ବୃଦ୍ଧ ମାତା-ପିତାଙ୍କ ମୃତ୍ୟୁ ହୋଇଥିଲା । ଯେତେବେଳେକି ପରିବାରର ଗୋଟିଏ ପିଲା କୌଣସି ପ୍ରକାରେ ଘରୁ ବାହାରକୁ ବାହାରି ଆସିବାରେ ସଫଳ ହୋଇଥିଲା । ଯାହାଦ୍ୱାରା ତା’ର ଜୀବନ ବଂଚି ଯାଇଛି । ବର୍ତମାନ ସେ ଚିକିତ୍ସାଧୀନ ଅଛି ।

ଘଟଣା ବିଷୟରେ ଜାଣିବା ପରେ, ପଡ଼ୋଶୀ ଏବଂ ନିକଟସ୍ଥ ବାସିନ୍ଦାମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ । ତଥାପି, ପ୍ରବଳ ନିଆଁ ଯୋଗୁଁ କେହି ଘର ଭିତରକୁ ଯାଇ ଉଦ୍ଧାର କରିବା ସମ୍ଭବ ହୋଇନଥିଲା ।

ଘଟଣା ବିଷୟରେ ସୂଚନା ପାଇବା ପରେ, ସ୍ଥାନୀୟ ବିଧାୟକ ରାଣା ଜଗଜିତସିଂହ ପାଟିଲ ଭୋର୍ ପ୍ରାୟ ୪ଟା ୨୦ ସମୟରେ ଘଟଣାସ୍ଥଳରେ ପହଂଚିଥିଲେ । ଗ୍ରାମାଚଂଳରେ ତୁରନ୍ତ ଅଗ୍ନି ନିର୍ବାପନ ବ୍ୟବସ୍ଥାର ଅଭାବ ଯୋଗୁଁ ନିଆଁ ଲିଭାଇବା ପ୍ରୟାସ ବାଧାପ୍ରାପ୍ତ ହୋଇଥିଲା । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, କଲମ୍ବ ଏବଂ ତୁଳଜାପୁରରୁ ଅଗ୍ନିଶମ ବାହିନୀ ଦଳକୁ ତୁରନ୍ତ ଘଟଣାସ୍ଥଳକୁ ଡକାଯାଇଥିଲା ଏବଂ ତା'ପରେ ହିଁ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ।

ଦୀପ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି :-

ପ୍ରାଥମିକ ସୂଚନା ଅନୁଯାୟୀ, ଘରେ ଜଳୁଥିବା ଦୀପ (ପଣତି) ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତଥାପି, ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚିଛନ୍ତି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande