
ମୁଜାଫରନଗର, ୦୯ ନଭେମ୍ବର (ହି.ସ.)। ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଆଜି ଭୋର ସମୟରେ ପାଣିପତ-ଖଟିମା ହାଇୱେରେ ଡିଭାଇଡରରେ ଧକ୍କା ହେବା ପରେ ଏକ କାର୍ ଓଲଟି ପଡ଼ିବା ସହ ଏଥିରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ କାର୍ରେ ଥିବା ୬ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ହୋଇଛି।
ଏହି ଦୁର୍ଘଟଣା ଭୋର ପ୍ରାୟ ୫ଟା ସମୟରେ ତିତାୱି ଥାନା ଅଞ୍ଚଳ ନିକଟରେ ଘଟିଥିଲା। କାର୍ରେ ଥିବା ପରିବାର ହରିୟାଣାର ହିସାରରୁ ହରିଦ୍ୱାର ଯାଉଥିଲେ। ଏହି ସମୟରେ ଦ୍ରୁତଗତିରେ ଯାଉଥିବା କାର୍ଟି ନିୟନ୍ତ୍ରଣ ହରାଇ ଡିଭାଇଡରରେ ଧକ୍କା ହୋଇଥିଲା। ଧକ୍କା ପରେ କାର୍ଟି ଓଲଟି ପଡ଼ିଥିଲା ଏବଂ ଦେଖୁଦେଖୁ ସେଥିରେ ନିଆଁ ଲାଗିଯାଇଥିଲା। କାର୍ରେ ଥିବା ଲୋକମାନଙ୍କୁ ବାହାରକୁ ବାହାରିବା ପାଇଁ ସୁଯୋଗ ମଧ୍ୟ ମିଳିନଥିଲା।
ରାସ୍ତାରେ ଯାଉଥିବା ଲୋକମାନେ କାର୍ରେ ନିଆଁ ଲାଗିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପୁଲିସ ନିଆଁ ଲିଭାଇବା ସହ ମୃତଦେହଗୁଡ଼ିକୁ ନିଜ ହେପାଜତକୁ ନେଇଥିଲା। ବର୍ତ୍ତମାନ ସୁଦ୍ଧା ମୃତକମାନଙ୍କ ପରିଚୟ ମିଳିପାରି ନାହିଁ। କାର୍ର ପଞ୍ଜୀକରଣ ନମ୍ବର ଆଧାରରେ ମୃତକଙ୍କ ପରିବାର ହରିୟାଣାର ହିସାର ସହ ଜଡ଼ିତ ଥିବା ନେଇ ପୁଲିସ ସୂଚନା ସଂଗ୍ରହ କରୁଛି।
ଫୁଗାନାର ସିଓ ନରେନ୍ଦ୍ର ଯାଦବ କହିଛନ୍ତି ଯେ, ହିସାରରେ ରହୁଥିବା ପରିବାର ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାକୁ ଗୁରୁତ୍ୱର ସହ ନେଇ ମୃତକଙ୍କ ପରିବାର ପ୍ରତି ଶୋକସମବେଦନା ପ୍ରକାଶ କରିଛନ୍ତି। ଏଥିସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା ଏବଂ ପୀଡ଼ିତ ପରିବାରଗୁଡ଼ିକୁ ସମସ୍ତ ସମ୍ଭବ ସହାୟତା ଯୋଗାଇଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା