
କହିଲେ- ୨୧ତମ ଶତାବ୍ଦୀର ତୃତୀୟ ଦଶକ ଉତ୍ତରାଖଣ୍ଡର ଦଶକ ହେବ, ରାଜ୍ୟର ସମାନ ବିକାଶ ପାଇଁ ହେଉଥିବା ପ୍ରୟାସକୁ ପ୍ରଶଂସା
ଦେହରାଦୁନ, ୦୯ ନଭେମ୍ବର (ହି.ସ.)। ଉତ୍ତରାଖଣ୍ଡ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ପତ୍ର ଲେଖି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ବିକାଶ ଯାତ୍ରା ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସେ ରାଜ୍ୟର ବିକାଶ ଯାତ୍ରା, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟ, ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ସୀମାନ୍ତ ଅଞ୍ଚଳରେ ଚାଲିଥିବା ବିକାଶମୂଳକ କାର୍ଯ୍ୟଗୁଡ଼ିକର ପ୍ରଶଂସା କରିଛନ୍ତି।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଜି ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ୯ ନଭେମ୍ବର ୨୦୦୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରୟାସରେ ଉତ୍ତରାଖଣ୍ଡ ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠିତ ହୋଇଥିଲା। ରାଜ୍ୟ ପ୍ରତିଷ୍ଠା ଦିବସ ହେଉଛି ରାଜ୍ୟବାସୀଙ୍କ ସାହସ, ସ୍ୱାଭିମାନ ଓ ପ୍ରଗତିର ସଂକଳ୍ପକୁ ସ୍ମରଣ କରିବାର ଏକ ଅବସର। ରାଜ୍ୟ ଗଠନ ସମୟରେ ନିର୍ଦ୍ଧାରିତ ଆକାଂକ୍ଷାଗୁଡ଼ିକୁ ପୂରଣ କରିବା ଦିଗରେ ଉତ୍ତରାଖଣ୍ଡ ନିରନ୍ତର ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି।
ମୋଦୀ କହିଛନ୍ତି ଯେ, ହିମାଳୟର କୋଳରେ ଅବସ୍ଥିତ ଉତ୍ତରାଖଣ୍ଡ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଧ୍ୟାତ୍ମିକ ଐଶ୍ୱର୍ଯ୍ୟର ଏକ ଅପୂର୍ବ ସଙ୍ଗମ। ଗଙ୍ଗା ଓ ଯମୁନାର ଉତ୍ପତ୍ତିସ୍ଥଳ ସହ ଚାରିଧାମ, ପଞ୍ଚ କେଦାର ଏବଂ ପଞ୍ଚ ପ୍ରୟାଗର ପରମ୍ପରା ଏହାକୁ ଦେଶର ଏକ ପ୍ରମୁଖ ଆସ୍ଥା କେନ୍ଦ୍ରରେ ପରିଣତ କରିଛି। କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ, ହେମକୁଣ୍ଡ ସାହିବ, ଜାଗେଶ୍ୱର ଧାମ ଏବଂ ଆଦି କୈଳାସର ଉଲ୍ଲେଖ କରି ସେ କହିଛନ୍ତି ଯେ, ଏହି ଧାର୍ମିକ ସ୍ଥଳଗୁଡ଼ିକ ସହ କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ଜଡ଼ିତ ରହିଛି।
ଉତ୍ତରାଖଣ୍ଡ ସହ ନିଜର ପୁରୁଣା ସମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସଂଗଠନର କାର୍ଯ୍ୟ ସମୟରେ ସେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସମୟ ବିତାଇଛନ୍ତି। କେଦାରନାଥର ଗୁମ୍ଫାରେ ସାଧନା, ଆଦି କୈଳାସ ଯାତ୍ରା ଏବଂ ରାଜ୍ୟବାସୀଙ୍କ ସ୍ନେହ ଆଜି ମଧ୍ୟ ତାଙ୍କ ସ୍ମୃତିରେ ଜୀବନ୍ତ ରହିଛି। ଉତ୍ତରାଖଣ୍ଡ ବିଶ୍ୱର ଆଧ୍ୟାତ୍ମିକ ରାଜଧାନୀ ହେବାର କ୍ଷମତା ରଖିଛି ଏବଂ ରାଜ୍ୟ ସରକାର ଏହି ଦିଗରେ ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା