
କୋଲକାତା, 25 ମାର୍ଚ୍ଚ (ହି.ସ.)- ପଶ୍ଚିମବଙ୍ଗରେ
ଆସନ୍ତା ମାସରେ ହେବାକୁ ଯାଉଥିବା ଦୁଇ ପର୍ଯ୍ୟାୟର ବିଧାନସଭା ନିର୍ବାଚନ ପୂର୍ବରୁ
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ରାତିରେ ତାଙ୍କ ପାଖରେ ଥିବା ବିଭିନ୍ନ “ଲାଭର ପଦ”ରୁ
ଇସ୍ତଫା ଦେଇଛନ୍ତି। ଆଚରଣ ସଂହିତା ଲାଗୁ ହେବା ଓ ନିର୍ବାଚନ ଆୟୋଗର ନିରୀକ୍ଷଣ ମଧ୍ୟରେ ଏହି
ପଦକ୍ଷେପକୁ ପ୍ରଶାସନିକ ପାରଦର୍ଶିତା ସହ ଯୋଡ଼ି ଦେଖାଯାଉଛି। ମମତା ବାନାର୍ଜୀ ଦକ୍ଷିଣ କୋଲକାତାର
ଭବାନୀପୁରରୁ ଅଖିଲ ଭାରତୀୟ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଅଟନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଏହି
ପଦଗୁଡ଼ିକରୁ ଇସ୍ତଫା ପରେ ରାଜ୍ୟ ପ୍ରଶାସନ ଆବଶ୍ୟକ ଔପଚାରିକତା ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ
କରିଛି। ରାଜ୍ୟ ସଚିବାଳୟ ‘ନବାନ୍ନ’ର ସୂତ୍ର ଅନୁଯାୟୀ, ସମ୍ବନ୍ଧିତ
ବିଭାଗମାନଙ୍କୁ ତାଙ୍କ ଇସ୍ତଫାକୁ ଶୀଘ୍ର ଗ୍ରହଣ କରିବା ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା
ସମ୍ବନ୍ଧିତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଯେଉଁ ବିଭାଗସହିତ ସମ୍ବନ୍ଧିତ ଲାଭର ପଦରୁ ଇସ୍ତଫା
ଦେଇଛନ୍ତି, ସେଥିରେ ପରିବେଶ ବିଭାଗ, ବନ
ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ଅଲ୍ପସଂଖ୍ୟକ କାର୍ଯ୍ୟ ବିଭାଗ ସହିତ ଅନ୍ୟାନ୍ୟ ବିଭାଗ
ମଧ୍ୟ ରହିଛି।
ଏହାଛଡ଼ା, ସେ ପଶ୍ଚିମବଙ୍ଗ ରାଜ୍ୟ ବିପଦ ପରିଚାଳନା ପ୍ରାଧିକାରୀ ଓ ପଶ୍ଚିମ
ବଙ୍ଗ ଲୋକନୀତି ଓ ପରିକଳ୍ପନା ବୋର୍ଡ ଭଳି ସଂଗଠନରେ ଥିବା ନିଜ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।
ଅଖିଲ ଭାରତୀୟ ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତା ଓ ରାଜ୍ୟ ମନ୍ତ୍ରିମଣ୍ଡଳର ଜଣେ ସଦସ୍ୟଙ୍କ
କହିବା ଅନୁସାରେ,
ମୁଖ୍ୟମନ୍ତ୍ରୀ ପାରଦର୍ଶିତାର ବାର୍ତ୍ତା ଦେବା ପାଇଁ ଏହି ନିଷ୍ପତି
ନେଇଛନ୍ତି, ଯଦିଓ ତାଙ୍କ ପାଇଁ ଏହା କରିବା ଅନିବାର୍ଯ୍ୟ ନଥିଲା।
ଭାରତୀୟ ଜନତା ପାର୍ଟି
ଭବାନୀପୁରରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପଶ୍ଚିମ ବଙ୍ଗ ବିଧାନସଭାର ବିପକ୍ଷ ନେତା ଶୁଭେନ୍ଦୁ
ଅଧିକାରୀଙ୍କୁ ପ୍ରାର୍ଥୀ କରିଛି। ଶୁଭେନ୍ଦୁ ଅଧିକାରୀ ପୂର୍ବ ମେଦିନୀପୁର ଜିଲ୍ଲାର
ନନ୍ଦୀଗ୍ରାମରୁ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି, ଯେଉଁଠାରୁ
ସେ ବର୍ତ୍ତମାନ ବିଧାୟକ ଅଟନ୍ତି ଏବଂ ଦୁଇଥର ଏହି ଅଞ୍ଚଳକୁ ପ୍ରତିନିଧିତ୍ୱ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା