
ହାଇଦ୍ରାବାଦ, ୨୬ ମାର୍ଚ୍ଚ (ହି.ସ.) ଆନ୍ଧ୍ର ପ୍ରଦେଶର ମାର୍କପୁରମ ଜିଲ୍ଲାରେ
ଗୁରୁବାର ସକାଳେ ଏକ ଭୟାବହ ସଡକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗତି ଟିପ୍ପର (ଟ୍ରକ) ଓ ଏକ ଘରୋଇ
ବସ୍ ମଧ୍ୟରେ ଭୟଙ୍କର ଧକ୍କା ଲାଗିବା ପରେ ଦୁଇଟି ଯାନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି
ଦୁଃଖଦ ଘଟଣାରେ ୧୦ ଯାତ୍ରୀ ସ୍ଥଳରେ ହିଁ ଜୀବନ୍ତ ଜଳି ମୃତ୍ୟୁ ବରଣ କରିଥିଲେ, ଯେତେବେଳେ ଅନେକ
ଗୁରୁତର ଆହତ ହୋଇଛନ୍ତି। ମୃତକ ସଂଖ୍ୟା ଆଉ ବଢି ପାରେ ବୋଲି ଆଶଙ୍କା କରାଯାଉଛି।
ପୁଲିସର ପ୍ରାରମ୍ଭିକ ସୂଚନା ଅନୁସାରେ, ଏହି ଦୁର୍ଘଟଣା
ସକାଳ ୬:୦୦ ଠାରୁ ୬:୩୦ ମଧ୍ୟରେ ରାୟାଭରମ ଗ୍ରାମ ନିକଟରେ ଘଟିଥିଲା। ‘ହରିକୃଷ୍ଣା ଟ୍ରାଭେଲ୍ସ’ର
ଏହି ବେସରକାରି ବସ୍ ତେଲେଙ୍ଗାନାର ନିର୍ମଲରୁ ଆନ୍ଧ୍ର ପ୍ରଦେଶର ନେଲ୍ଲୋରକୁ ଯାଉଥିଲା।
ମାର୍କପୁରମର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଦୁର୍ଘଟଣା ସମୟରେ
ବସ୍ଟି ଏକ ମୋଡ଼ ନେଉଥିଲା। ସେତେବେଳେ ସମ୍ମୁଖରୁ ଆସୁଥିବା ଏକ ଦ୍ରୁତଗତି ଟିପ୍ପର ତାହାକୁ
ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, ଦୁଇଟି ଯାନ ତୁରନ୍ତ ଜଳି ଉଠିଥିଲା, ଯାହା ଫଳରେ
ଯାତ୍ରୀମାନେ ବାହାରିବା ପାଇଁ ସମୟ ମଧ୍ୟ ପାଇନଥିଲେ।
ଏପର୍ଯ୍ୟନ୍ତ ୧୦ ଯାତ୍ରୀ ଜୀବନ୍ତ ଜଳି ମୃତ୍ୟୁ ବରଣ କରିଥିବାର ସୂଚନା
ମିଳିଛି। ମୃତକ ସଂଖ୍ୟା ଆଉ ବଢି ପାରେ ବୋଲି ଆଶଙ୍କା ରହିଛି। ପ୍ରାୟ ୨୦ ଆହତ ଯାତ୍ରୀଙ୍କୁ
ମାର୍କପୁରମର ବେସରକାରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ କିଛିଙ୍କର ଅବସ୍ଥା ଗୁରୁତର ଅଛି।
ଦୁର୍ଘଟଣା ସମୟରେ ବସ୍ରେ ପ୍ରାୟ ୪୦ ଯାତ୍ରୀ ଥିଲେ। ବସ୍ର ଆଗ ଭାଗରେ ବସିଥିବା ପ୍ରାୟ ୧୦
ଯାତ୍ରୀ ପଳାଇ ଆସି ଜୀବନ ବଞ୍ଚାଇପାରିଥିଲେ, କିନ୍ତୁ ପଛ ଭାଗରେ ବସିଥିବା ଲୋକମାନେ ଅଗ୍ନିକାଣ୍ଡରେ ଫସିଯାଇଥିଲେ।
ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ
ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଦ୍ୱାରା ଜାରି
ବିଜ୍ଞପ୍ତି ଅନୁସାରେ ସେ ବରିଷ୍ଠ ଅଧିକାରୀଙ୍କ ସହ କଥାହେବା ସହିତ ପରିସ୍ଥିତିର ସମୀକ୍ଷା
କରିଛନ୍ତି। ଆହତମାନଙ୍କୁ ଭଲ ଚିକିତ୍ସା ସୁବିଧା ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା