
ଚେନ୍ନାଇ, ୬ ମାର୍ଚ୍ଚ (ହି.ସ.)- ତାମିଲନାଡୁ ସରକାର ରାଜ୍ୟରେ ଜନଗଣନା କରିବା ପାଇଁ ଏକ ସରକାରୀ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ, ତାମିଲନାଡୁରେ ଜନଗଣନା କାର୍ଯ୍ୟ ୧୭ ଜୁଲାଇରୁ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଚାଲିବ, ଯାହାକି ମୋଟ୍ ୪୫ ଦିନ । ଏଥର, ଜନଗଣନା ସମ୍ପୂର୍ଣ୍ଣ ଡିଜିଟାଲ ଭାବରେ କରାଯିବ, ସମସ୍ତ ତଥ୍ୟ ଇଲେକ୍ଟ୍ରୋନିକ୍ ଭାବରେ ରେକର୍ଡ କରାଯିବ ।
ରାଜ୍ୟ ସରକାରଙ୍କ ଅନୁଯାୟୀ, ଏହି କାର୍ଯ୍ୟରେ ପ୍ରାୟ ୫୦ ହଜାର ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଏହି କର୍ମଚାରୀମାନେ ଘରକୁ ଘର ଯାଇ ଲୋକଙ୍କ ସହିତ ଯୋଗାଯୋଗ କରିବେ ଏବଂ ସେମାନଙ୍କର ସାମାଜିକ ଏବଂ ଆର୍ଥିକ ସ୍ଥିତି ସହିତ ଜଡ଼ିତ ସୂଚନା ସଂଗ୍ରହ କରିବେ । କର୍ମଚାରୀମାନେ ମୋଟ୍ ୩୩ଟି ପ୍ରଶ୍ନ ପଚାରିବେ, ଯାହାର ଉତର ଡିଜିଟାଲ ଭାବରେ ରେକର୍ଡ କରାଯିବ ।
ଜନଗଣନା ସମୟରେ, କର୍ମଚାରୀମାନେ ବାସସ୍ଥାନର ଅବସ୍ଥା, ସମ୍ପତି, ଯାନବାହାନ ଏବଂ ଭିତିଭୂମି ସହିତ ଜଡ଼ିତ ସୂଚନା ସଂଗ୍ରହ କରିବେ । ଏହା ମଧ୍ୟ ପଚରାଯିବ ଯେ ଘରଟି ଭଡ଼ା କିମ୍ବା ମାଲିକାନା କି ନାହିଁ, ପରିବାରର ଆୟ କେତେ, ଘରେ ଶୌଚାଳୟ ଅଛି କି ନାହିଁ, ଘରେ ସାଇକେଲ, ଦୁଇ ଚକିଆ ଯାନ କିମ୍ବା କାର୍ ଅଛି କି ନାହିଁ । ରେଫ୍ରିଜରେଟର ଏବଂ ଏୟାର କଣ୍ଡିସନର ଭଳି ସୁବିଧା ଉପଲବ୍ଧତା ସମ୍ପର୍କରେ ମଧ୍ୟ ପ୍ରଶ୍ନ ପଚରାଯିବ ।
ତାମିଲନାଡୁ ସରକାର କାର୍ଯ୍ୟର ସୁଗମ ସମାପନ ସୁନିଶ୍ଚିତ କରିବା ପାଇଁ ଜନଗଣନା କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ଦେୟ (ଭତା) ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ସମେତ ଏହି ସରକାରୀ ନିର୍ଦ୍ଦେଶ ଜାରି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ