
ନୂଆଦିଲ୍ଲୀ, ୭ ମାର୍ଚ୍ଚ (ହି.ସ.)- ରବିବାର ଦିନ ଅହମ୍ମଦାବାଦରେ ଟି-୨୦ ବିଶ୍ୱକପ୍ ଫାଇନାଲକୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ଦର୍ଶକଙ୍କ ସୁବିଧା ପାଇଁ ନୂଆଦିଲ୍ଲୀ ଏବଂ ସାବରମତୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତି ନେଇଛି । ବିମାନ ଭଡ଼ା ବୃଦ୍ଧି ଏବଂ ସୀମିତ ଟିକେଟ୍ ଉପଲବ୍ଧତା ହେତୁ ଏହି ନିଷ୍ପତି ନିଆଯାଇଛି, ଯାହାଦ୍ୱାରା ମ୍ୟାଚ୍ ଦେଖିବାକୁ ଯାଉଥିବା ଲୋକମାନେ କୌଣସି ପ୍ରକାରର ଯାତ୍ରା ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ।
ରେଳବାଇ ଅଧିକାରୀଙ୍କ ଅନୁଯାୟୀ, ଶନିବାର ରାତି ୧୧ଟା ୪୫ ରେ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ନମ୍ବର ୦୪୦୬୨ ଛାଡିବ । ଟ୍ରେନ୍ ଟି ଦିଲ୍ଲୀ କ୍ୟାଂଟ, ଗୁରୁଗ୍ରାମ ଏବଂ ଜୟପୁର ଭଳି ପ୍ରମୁଖ ଷ୍ଟେସନରେ ଅଟକି ରବିବାର ଦିନ ୨ଟା ୩୦ ରେ ସାବରମତୀରେ ପହଂଚିବ । ଏହି ସ୍ୱତନ୍ତ୍ର ଟ୍ରେନ୍ ରେ ମୋଟ୍ ୧୯ଟି କୋଚ୍ ଲଗାଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ ଏଥିରେ ଏସି-୩ ଏବଂ ଏସି-୨ ଶ୍ରେଣୀ କୋଚ୍ ଅନ୍ତର୍ଭୁକ୍ତ, ଯାହା ଦୂର ଦୂରାନ୍ତର ଯାତ୍ରା କରୁଥିବା ଦର୍ଶକଙ୍କ ପାଇଁ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବ ।
ଅଧିକାରୀମାନେ କହିଛନ୍ତି ଯେ, ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ଟି-୨୦ ବିଶ୍ୱକପ୍ ୨୦୨୬ ଫାଇନାଲ ମ୍ୟାଚ୍ ପାଇଁ ଦେଶବ୍ୟାପୀ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି ଏବଂ ବହୁ ସଂଖ୍ୟକ ଲୋକ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଂଚିବା ପାଇଁ ଯୋଜନା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି, ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଯାତ୍ରାକୁ ସହଜ କରିବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ଚଲାଯାଉଛି ।
ରେଳବାଇ ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ରେଳବାଇର ସରକାରୀ ୱେବସାଇଟ୍ କିମ୍ବା ଅଧିକୃତ ପ୍ଲାଟଫର୍ମରେ ଟିକେଟ୍ ଉପଲବ୍ଧତା ଏବଂ ସମୟ ଯାଂଚ୍ କରିବାକୁ ଅନୁରୋଧ କରିଛି, ଯାହାଦ୍ୱାରା ସେମାନେ କୌଣସି ଅସୁବିଧାର ଯେପରି ସମ୍ମୁଖୀନ ନ ହୁଅନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ