
ଖୋର୍ଦ୍ଧା, ୧୩ ଏପ୍ରିଲ୍ (ହି.ସ.) - ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି, ପ୍ରଥମ ଆନ୍ତଃ କ୍ଳବ୍ ଓ ଜିଲ୍ଲା କବାଡି ଚମ୍ପିଅନସିପ-୨୦୨୬ ପୂର୍ବାହ୍ନ ୯ଘଟିକା ସମୟରେ ଖୋର୍ଦ୍ଧା ଷ୍ଟାଡିୟମ୍ ପରିସରରେ ଉଦ୍ଘାଟିତ ହୋଇଯାଇଅଛି । ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ରୀଡ଼ା ଚାମ୍ପିଅନସିପ କୁ ଉଦ୍ଘାଟିତ କରି ନିଜ ଉଦବୋଧନରେ କହିଲେ ଯେ କ୍ରୀଡାର ପ୍ରଚାର ପ୍ରସାର କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏହା ଏକ ଅଭିନବ ଯୋଜନା ଯାହା ତୃଣ ମୂଳ ସ୍ତରରେ କ୍ରୀଡ଼ା ପ୍ରତିଭା ମାନଙ୍କୁ ସୁଯୋଗ ପ୍ରଦାନ କରିବ । ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା ଯୋଗଦେଇ କ୍ରୀଡ଼ା ଶରୀରକୁ ସୁସ୍ଥ ରଖିବାସହ୍,କ୍ରୀଡ଼ାରେ ଅଧ୍ୟବସାୟ ରହିଲେ କ୍ରୀଡ଼ା ବୃତିକୁ ଆପଣେଇଲେ, କ୍ରୀଡ଼ାକୁ ଶିକ୍ଷା ଓ ଜୀବନ ସହିତ ଜଡିତ ରଖିଲେ ଏହା ଉତମ ନାଗରିକ ଗଢିତୋଳିବାରେ ବଳିଷ୍ଟ ଭୂମିକା ନିର୍ବାହ କରିଥାଏ ବୋଲି ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଖୋର୍ଦ୍ଧା ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ, ଉପେନ୍ଦ୍ର ନାଥ ଦାସ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ମୁଖ୍ୟମନ୍ତ୍ରୀ କବାଡି ଚାମ୍ପିଅନସିପ -୨୦୨୬ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଜି ଏବଂ ଆସନ୍ତା କାଲି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବାଳକ ଓ ବାଳିକା ବିଭାଗରୁ ୧୦ ଓ ୬ ଦଳ ଅଂଶ ଗ୍ରହଣ କରିଛନ୍ତି । ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ କ୍ରୀଡ଼ା ସଂସଦ କାର୍ଯ୍ୟକର୍ତା ଜ୍ୟୋତି ପ୍ରକାଶ ମହାନ୍ତି, ଅନିଲ କୁମାର ସାହୁ, ଡାନିଏଲ୍ ନାଏକ, ବୀରକିଶୋର ସିଂହ, କେଦାର କୁମାର ବରାଳ ସମେତ ଶିକ୍ଷକ ଶିକ୍ଷୟତ୍ରୀ, ପ୍ରଶିକ୍ଷକ,ସାମ୍ବାଦିକ ଏବଂ ପ୍ରତିଯୋଗୀ ମାନେ ଯୋଗଦେଇଥିଲେ । ଶେଷରେ କ୍ରୀଡ଼ା ସଙ୍ଘ ସଭାପତି ଅକ୍ଷୟ କୁମାର ମହାନ୍ତି ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ରାକେଶ