
ଭୁବନେଶ୍ୱର,୧୧ ଏପ୍ରିଲ (ହି.ସ)- ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ସହ ପ୍ରତିଭା ଅନ୍ୱେଷଣ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ୨.୦ର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ୟୁନିଟ୍-୧ ସ୍ଥିତ ଫୁଟବଲ୍ ଏକାଡେମୀ ପରିସରରେ ଏହି ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଖୋର୍ଦ୍ଧା ଜିଲ୍ଲା ସ୍ତରରେ ଭୁବନେଶ୍ୱର ଅଧିନରେ ଫୁଟବଲ୍ ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ ଖୋର୍ଦ୍ଧା ଅଂଚଳରେ କବାଡ଼ି, ଖୋ-ଖୋ, ଭଲିବଲ୍ ଓ ଫୁଟବଲ୍ ମ୍ୟାଚ୍ ର ପ୍ରତିଯୋଗିତାଗୁଡ଼ିକ ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଫୁଟବଲ୍ ପ୍ରତିଯୋଗିତାରେ ଚାରିଟି ଗ୍ରୁପ୍ ରେ ଉଭୟ ବାଳକ ଓ ବାଳିକା ସ୍ତରରେ ୧୮ଟି ଦଳ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତାର ଖେଳଗୁଡ଼ିକ ଅପରାହ୍ନ ୪ଟା ପରେ ଆରମ୍ଭ ହେଉଛି । ଏହି ଟୁର୍ଣ୍ଣାମେଂଟ ଆସନ୍ତା ୨୪ ତାରିଖରେ ଶେଷ ହେବ । ବିଦ୍ୟାଳୟ ସ୍ତରରେ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ଅନ୍ୱେଷଣପୂର୍ବକ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ପ୍ରକାରର ଆୟୋଜନ କରାଯାଇଛି । ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ମ୍ୟାଚ୍ ଅଫିସିଆଲ୍ ମାନେ ଉପସ୍ଥିତ ରହି ପ୍ରତ୍ୟେକ ପ୍ରତିଯୋଗିତାକୁ ତଦାରଖ କରୁଛନ୍ତି ।
ଏହି ଫୁଟବଲ୍ ପ୍ରତିଯୋଗିତାରେ ଓଡ଼ିଶା ଅଲମ୍ପିକ୍ ଆସୋସିଏସନ୍ର ସଭାପତି ସମୀର ମହାନ୍ତି, ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ସାମାଜିକ କର୍ମୀ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଆଥ୍ଲେଟିକ୍ ଆସୋସିଏସନ୍ ର ସାଧାରଣ ସମ୍ପାଦକ ସୌର୍ଯ୍ୟ ରଞ୍ଜନ ପରିଜା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଶୃଙ୍ଖଳାର ସହ କ୍ରୀଡ଼ାର ନିୟମକୁ ପାଳନ କରିବା ଏବଂ ଖେଳୁଆଡ୍ ମନୋଭାବ ନେଇ ନିଜର ଖେଳ ପ୍ରଦର୍ଶନ କରିବା ଉପରେ ଅତିଥିମାନେ ପରାମର୍ଶ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା