
ପୁରୀ, ୧୩ ଅପ୍ରେଲ (ହି.ସ.)- ଆଜିଠୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି କାର୍ଯ୍ୟ ଆରମ୍ଭ ହେବ । ଶୃଙ୍ଖଳିତ ପ୍ରକ୍ରିୟାରେ କାର୍ଯ୍ୟ ସମାପନ ନେଇ ରବିବାର ଏକ ପ୍ରସ୍ତୁତି ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ସ୍ପେଶାଲ ଅପରେଟିଙ୍ଗ ପ୍ରୋସିଜିୟର(ଏସଓପି) ଅନୁଯାୟୀ ଜିଲ୍ଲା ଟ୍ରେଜେରିରୁ ଚାବି ଅଣାଯାଇ ପୁରୀ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିତର ରତ୍ନଭଣ୍ଡାର ଖୋଲାଯିବ । ପ୍ରସ୍ତୁତି ବୈଠକରେ ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ କିଭଳି ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କରାଯିବ, କେଉଁମାନେ ଭିତରେ ଏବଂ ବାହାରେ ରହିବେ, କ'ଣ ସବୁ ବ୍ୟବସ୍ଥା ହେବ ସେନେଇ ସବିଶେଷ ଆଲୋଚନା ହୋଇଥିଲା । ସେହିପରି ସବୁ ରତ୍ନ ଅଳଙ୍କାରର ଥ୍ରୀଡି ସ୍କ୍ରିନିଂ କରାଯାଇ ଡିଜିଟାଲ ଫଟୋଗ୍ରାଫି କରାଯିବ । ଏହାକୁ ନେଇ ଏକ ଡିଜିଟାଲ କ୍ୟାଟଲଗ୍ ପ୍ରସ୍ତୁତ କରାଯିବ ।
ସୋମବାର ନିର୍ଦ୍ଧାରିତ ସମୟରେ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଆରମ୍ଭ କରାଯିବ । ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଥିବାରୁ ଗଣତିମଣତି ବନ୍ଦ ରହିବ । ଏହାପରେ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ପୁଣି ଗଣତିମଣତି କରାଯିବ ବୋଲି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ୨୫ ମାର୍ଚ୍ଚ ୨୦୨୬ ରେ ଚଳନ୍ତି ରତ୍ନଭଣ୍ଡାରର ଗଣତିମଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏବଂ ଗତ ଅପ୍ରେଲ ୮ ତାରିଖ ଠାରୁ ଦ୍ୱିତୀୟ ପର୍ଯ୍ୟାୟ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇ ୧୧ ତାରିଖରେ ଶେଷ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ