
ନୂଆଦିଲ୍ଲୀ, ୧୭ ଏପ୍ରିଲ (ହି.ସ.)। ଲୋକସଭାରେ ସଂସଦର ତିନିଦିନିଆ ସ୍ୱତନ୍ତ୍ର
ଅଧିବେଶନର ଦ୍ୱିତୀୟ ଦିନ ମହିଳା ସଂରରକ୍ଷଣ ଏବଂ ପରିସୀମନ ସମ୍ବନ୍ଧୀୟ ସଂବିଧାନିକ ସଂଶୋଧନ ଉପରେ
ଆଲୋଚନା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ସରକାର ଆଣିଥିବା
ଏହି ବିଲ୍ ମହିଳା ସଶକ୍ତିକରଣ ସହ ସମ୍ପର୍କିତ ନୁହେଁ, ବରଂ ଏହା ଦେଶର ନିର୍ବାଚନୀ ମାନଚିତ୍ରକୁ ପରିବର୍ତ୍ତନ କରିବାର ଏକ
ପୂର୍ବପରିକଳ୍ପିତ ପ୍ରୟାସ। ସେ ଅଭିଯୋଗ କରିଛନ୍ତି ଯେ, ସରକାର ଅନ୍ୟ ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କର ଅଧିକାରକୁ ଦୁର୍ବଳ
କରିବା ଦିଗରେ କାମ କରୁଛି।
ରାହୁଲ ଗାନ୍ଧୀ ଶୁକ୍ରବାର ଲୋକସଭାରେ ଆଲୋଚନା ସମୟରେ କହିଛନ୍ତି ଯେ, ଦେଶର ସାମାଜିକ ଏବଂ
ଜାତୀୟ ଜୀବନରେ ମହିଳାମାନଙ୍କର ଭୂମିକା କେନ୍ଦ୍ରୀୟ ରହିଛି ଏବଂ ପ୍ରତ୍ୟେକ ବ୍ୟକ୍ତି ନିଜ
ଜୀବନରେ ମା, ଭଉଣୀ କିମ୍ବା ଅନ୍ୟ
ମହିଳା ସଦସ୍ୟମାନଙ୍କଠାରୁ ବହୁତ କିଛି ଶିଖିଛନ୍ତି। ଏହି ବିଲ୍ ପ୍ରକୃତ ମହିଳା ସଂରକ୍ଷଣ ବିଲ୍
ନୁହେଁ, କାରଣ ମହିଳା ସଂରକ୍ଷଣ
ସମ୍ବନ୍ଧୀୟ କାନୁନ ୨୦୨୩ ମସିହାରେ ହିଁ ପାସ୍ ହୋଇସାରିଛି। ସେ ସରକାରଙ୍କୁ ଅନୁରୋଧ କରିଛନ୍ତି
ଯେ, ଯଦି ସେମାନେ
ପ୍ରକୃତରେ ମହିଳାମାନଙ୍କୁ ସଶକ୍ତ କରିବାକୁ ଚାହୁଁଛନ୍ତି, ତେବେ ପୂର୍ବରୁ ପାସ୍ ହୋଇଥିବା ବିଲ୍କୁ ତତକ୍ଷଣାତ
ଲାଗୁ କରାଯାଉ; ବିପକ୍ଷ ତାହାକୁ
ପୂର୍ଣ୍ଣ ସମର୍ଥନ କରିବ।
ରାହୁଲ ଗାନ୍ଧୀ କହିଛନ୍ତି ଯେ, ବର୍ତ୍ତମାନ ବିଲ୍ର ପ୍ରକୃତ ଉଦ୍ଦେଶ୍ୟ ପରିସୀମନ
ମାଧ୍ୟମରେ ଦେଶର ରାଜନୈତିକ ସନ୍ତୁଳନକୁ ପରିବର୍ତ୍ତନ କରିବା। ସରକାର ଜାଣିଶୁଣି ଜାତିଗତ
ଜନଗଣନାରୁ ଦୂରେଇ ରହୁଛି, ଯାହାଦ୍ୱାରା ଅନ୍ୟ
ପଛୁଆ ବର୍ଗମାନେ ଯଥୋଚିତ ପ୍ରତିନିଧିତ୍ୱ ନ ପାଇପାରନ୍ତି। ଏହା ଏକ ଏମିତି ରଣନୀତି ଯାହା
ମାଧ୍ୟମରେ ବଞ୍ଚିତ ବର୍ଗମାନଙ୍କୁ ଶାସନ ଗଠନରୁ ଦୂରେଇ ରଖାଯାଇପାରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା