
ନୂଆଦିଲ୍ଲୀ, ୧୭ ଅପ୍ରେଲ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ହରିବଂଶ ନାରାୟଣ ସିଂହଙ୍କୁ ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ ଜଣାଇବା ସହ ଏହାକୁ ଗୃହର ଗଭୀର ବିଶ୍ୱାସର ପ୍ରତୀକ ବୋଲି କହିଛନ୍ତି । ରାଜ୍ୟସଭାରେ ନିଜର ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ହରିବଂଶଙ୍କ ପୁନଃନିର୍ବାଚନ ତାଙ୍କ ଅଭିଜ୍ଞତା, କାର୍ଯ୍ୟ କରିବାର ସନ୍ତୁଳିତ ଶୈଳୀ ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ଦକ୍ଷତାର ସ୍ୱୀକୃତି । ସେ କହିଥିଲେ ଯେ ଉପାଧ୍ୟକ୍ଷ ଭାବେ ହରିବଂଶ କେବଳ ସଦନକୁ ଦକ୍ଷତାର ସହ ପରିଚାଳନା କରିନାହାନ୍ତି, ବରଂ ନିଜର ଅତୀତ ଅଭିଜ୍ଞତା ଦ୍ୱାରା ଗୃହକୁ ସମୃଦ୍ଧ କରିଛନ୍ତି, ଯାହା ଗୃହର ବାତାବରଣକୁ ଆହୁରି ପରିପକ୍ୱ କରିଛି ।
ମୋଦି କହିଛନ୍ତି, ‘ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚିତ ହେବା ଆପଣଙ୍କ (ହରିବଂଶ)ଙ୍କ ପ୍ରତି ଏହି ଗୃହର ଗଭୀର ବିଶ୍ୱାସକୁ ଦର୍ଶାଉଛି । ଏଥି ସହିତ, ଅତୀତରେ ଆପଣଙ୍କ ଅଭିଜ୍ଞତାରୁ ଗୃହକୁ ମିଳିଥିବା ଲାଭର ଏହା ମଧ୍ୟ ଏକ ପ୍ରମାଣ । ଗୋଟିଏ ପ୍ରକାରରେ, ଗୃହକୁ ସାଙ୍ଗରେ ନେଇ ଚାଲିବା ଦିଗରେ ଆପଣମାନଙ୍କ ପ୍ରୟାସ ଉପରେ ଗୃହ ମୋହର ମାରିଛି । ଏହା ବାସ୍ତବରେ ଆପଣଙ୍କର ଅଭିଜ୍ଞତା ଏବଂ ଯୋଗଦାନର ସମ୍ମାନ ଅଟେ ।’
ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ଯେ, ତାଙ୍କର ନୂତନ କାର୍ଯ୍ୟକାଳ ମଧ୍ୟ ସମର୍ପଣ, ସନ୍ତୁଳନ ଏବଂ ମର୍ଯ୍ୟାଦା ସହିତ ଆଗକୁ ବଢ଼ିବ ଏବଂ ଗୃହ ନୂତନ ଉଚ୍ଚତା ହାସଲ କରିବ । ସେ କହିଥିଲେ ଯେ, ରାଜ୍ୟସଭା ସଦସ୍ୟ ହେବା ପରେ ହରିବଂଶ ତାଙ୍କର ଅଧିକାଂଶ ସମୟ ସଂସଦୀୟ କାର୍ଯ୍ୟରେ ସମର୍ପିତ କରିଛନ୍ତି ଏବଂ ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଦକ୍ଷତାର ସହ ଗୃହ ପରିଚାଳନା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ