ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସରେ ଝାରସୁଗୁଡ଼ା ସହରରେ ଭାରୀ ଯାନ ଚଳାଚଳ ଉପରେ କଟକଣା
Restriction on heavy vehicles
ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସରେ ଝାରସୁଗୁଡ଼ା ସହରରେ ଭାରୀ ଯାନ ଚଳାଚଳ ଉପରେ କଟକଣା


ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସରେ ଝାରସୁଗୁଡ଼ା ସହରରେ ଭାରୀ ଯାନ ଚଳାଚଳ ଉପରେ କଟକଣା

ଝାରସୁଗୁଡ଼ା, 17 ଏପ୍ରିଲ୍ (ହି.ସ.): ସହରର କେତେକ ପ୍ରମୁଖ ରାସ୍ତାରେ ବଢୁଥିବା ଦୁର୍ଘଟଣାକୁ ରୋକିବା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରୀ ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ କୁଣାଲ ମୋତିରାମ ଚହ୍ବାଣ ମୋଟର ଯାନ ଅଧିନିୟମ, ୧୯୮୮ର ଧାରା ୧୧୫ ଅନୁଯାୟୀ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଅର୍ଡା ଛକ ରୁ ସର୍କିଟ ହାଉସ ଛକ ମଧ୍ୟରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୂତନ ବସଷ୍ଟାଣ୍ଡ, ଡିପିଓ ଛକ ଏବଂ ଓଏମପି ଛକ ଦେଇ ଯାଉଥିବା ରାସ୍ତାରେ ଭାରୀ ଯାନ ଚଳାଚଳକୁ ସୀମିତ କରାଯାଇଛି। ଏହି ରାସ୍ତାଟି ଅତ୍ୟଧିକ ଦୁର୍ଘଟଣା ପ୍ରବଣ ହୋଇପଡ଼ିଥିବାରୁ ଏବଂ ନୂତନ ବସଷ୍ଟାଣ୍ଡର ସୁପରିଚାଳନା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯାତାୟାତରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ଅନୁସାରେ, ୧୬,୨୦୦ କିଲୋଗ୍ରାମ କିମ୍ବା ତା’ଠାରୁ ଅଧିକ ଓଜନ ବିଶିଷ୍ଟ ସମସ୍ତ ଭାରୀ ଯାନ (ଭର୍ତ୍ତି କିମ୍ବା ଖାଲି) ଉପରୋକ୍ତ ରାସ୍ତାରେ ଚଳାଚଳ କରିପାରିବେ ନାହିଁ। ଏହି କଟକଣା ୧ ଏପ୍ରିଲ ୨୦୨୬ ରୁ ୩୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ବିକଳ୍ପ ବ୍ୟବସ୍ଥା ସ୍ୱରୂପ, ଏହି ସମସ୍ତ ଭାରୀ ଯାନଗୁଡ଼ିକ ଅର୍ଦ୍ଦା ଛକରୁ ସର୍କିଟ ହାଉସ ଛକ ପର୍ଯ୍ୟନ୍ତ ରାଜ୍ୟ ରାଜପଥ-୧୦ ଏବଂ ନୂତନ ଷ୍ଟାଡିୟମ ଦେଇ ଯାତାୟାତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମ୍ପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରକ୍ଷୀ ଅଧୀକ୍ଷକ ଏବଂ ପରିବହନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବଗତ କରାଯାଇଛି। ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଜନସାଧାରଣ ଓ ଯାନବାହନ ମାଲିକମାନେ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande