
Bhubaneswar, 18 ଏପ୍ରିଲ୍ (ହି.ସ.)
• ଇସ୍କନ ମନ୍ଦିର ନିକଟରେ 30 କୋଟି ଟଙ୍କା ବ୍ୟୟରେ ହେବ ଅତ୍ୟାଧୁନିକ ଡ୍ରେନେଜ୍ ବ୍ୟବସ୍ଥା
• ପ୍ରମୁଖ ଡ୍ରେନ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଦେଲେ 50 କୋଟି
• ଟିକସ ଆଦାୟରେ ବିଏମ୍ ସିର ସର୍ବକାଳୀନ ରେର୍କଡ
• ଏଣିକି ବରିଷ୍ଠ ନାଗରିକଙ୍କ ପାଇଁ ଖୋଲା ରହିବ କମ୍ୟୁନିଟ୍ ସେଣ୍ଟର
ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) 40 ତମ ସାଧାରଣ ପରିଷଦ ବୈଠକ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, କମିଶନର ଚଞ୍ଚଳ ରାଣା, ଅତିରିକ୍ତ କମିଶନର ରତ୍ନାକର ସାହୁ, କୈଳାସ ଚନ୍ଦ୍ର ଦାସ, ଶ୍ରୀମତୀ ସସ୍ମିତା ସାହୁ, ମୁଖ୍ୟ ବିତ୍ତ ଅଧିକାରୀ ଦୀପକ ରଂଜନ ବେହେରା, ସିଟି ଇଂଜିନିୟର ନାରଦ ଚନ୍ଦ୍ର ରଥ, ଜୋନାଲ କମିଶନର ଅଶନୀ ଏ.ଏଲ୍. ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା, ଅଧ୍ୟକ୍ଷ, କର୍ପୋରେଟର, ସଂଯୁକ୍ତ ବିଭାଗର ଅଧିକାରୀ, ବିଏମ୍ ସିର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।
ବୈଠକ ଆରମ୍ଭରୁ କମିଶନର ଶ୍ରୀ ଚଞ୍ଚଳ ରାଣା ସ୍ୱାଗତ ଅଭିଭାଷଣରେ 2026-2027 ଆର୍ଥିକ ବର୍ଷ ନିମନ୍ତେ ଇଂଜିନିୟରିଂ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ବିଏମ୍ ସି ଅଂଚଳରେ ଥିବା ବିଭିନ୍ନ ପ୍ରମୁଖ ଡ୍ରେନଗୁଡିକର କାମ ପାଇଁ ରାଜ୍ୟ ସରକାର 50 କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଖାସ୍ କରି ଇସ୍କନ ମନ୍ଦିର ନିକଟରେ ଅତ୍ୟାଧୁନିକ ଡ୍ରେନେଜ୍ ବ୍ୟବସ୍ଥା କରିବା ପାଇଁ 30 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ ଗୃହକୁ ଅବଗତ କରାଇଛନ୍ତି । ଡ୍ରେନଗୁଡିକରୁ ପଙ୍କୋଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଏହାକୁ ଆହୁରି ତ୍ୱରାନ୍ୱିତ କରାଯିବ । ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଦୁଇଟି ଘରୋଇ ସଂସ୍ଥା ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ସେମାନେ ବର୍ଜ୍ୟରୁ ବାୟୋ ଗ୍ୟାସ୍ ଉତ୍ପାଦନ କରିବେ । ଏହି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି । 2025-26 ଆର୍ଥିକ ବର୍ଷରେ ଟାକ୍ସ ଆଦାୟ ଅତୀତର ସମସ୍ତ ରେକର୍ଡକୁ ଭାଙ୍ଗି, 117 କୋଟି ଟଙ୍କାରେ ପହଞ୍ଚିଛି ବୋଲି ଶ୍ରୀ ରାଣା ଗୃହକୁ ଅବଗତ କରାଇଥିଲେ ।
ପରେ ପୂର୍ବ ବୈଠକରେ ଆଲୋଚନା ହୋଇଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ପଦକ୍ଷେପ ସଂପର୍କରେ ଗୃହକୁ ଅବଗତ କରାଯିବା ସହ ପ୍ରଶ୍ନୋତ୍ତର କାର୍ଯ୍ୟ ଚାଲିଥିଲା । ଶେଷରେ କର୍ପୋରେଟର, ବିଏମ୍ ସିର ବିଭିନ୍ନ ଉପବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ମେୟର ମହାପ୍ରଭୁ ଲିଙ୍ଗରାଜଙ୍କ ଚାପ ପୁଷ୍କରିଣୀ ବିନ୍ଦୁ ସାଗରର ପଙ୍କୋଦ୍ଧାର କାର୍ଯ୍ୟ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ । ସମସ୍ତ କର୍ପୋରେଟର ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ । ତେବେ ଅକ୍ଷୟତୃତୀୟଠାରୁ ମହାପ୍ରଭୁଙ୍କର ଚାପ ରହିଥିବାରୁ ତା’ ପରେ ପୁରା ପୁଷ୍କରିଣୀରୁ ଜଳ ନିଷ୍କାସନ କରାଯିବା ସହ ସେଥିରୁ ପଙ୍କୋଦ୍ଧାର କରାଯିବ ବୋଲି ନିଷ୍ପତ୍ତି ହୋଇଛି । କେବଳ ସେତିକି ନୁହେଁ, ସହରରେ ଥିବା ବିଭିନ୍ନ ଜଳାଶୟର ମଧ୍ୟ ପୁନଃଉଦ୍ଧାର କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ବିଭିନ୍ନ ଓ୍ୱାର୍ଡରେ ଥିବା କମ୍ୟୁନିଟ୍ ସେଣ୍ଟରଗୁଡିକ ବରିଷ୍ଠ ନାଗରିକଙ୍କ ପାଇଁ ଖୋଲା ରହିବ । ତେବେ ଯେଉଁଦିନ ବୁକିଂ ନଥିବ, ସେହିଦିନ ସଂପୃକ୍ତ ଓ୍ୱାର୍ଡର ବରିଷ୍ଠ ନାଗରିକମାନେ ତାହାକୁ ବ୍ୟବହାର କରିପାରିବେ ବୋଲି ମେୟର ଏକ ପ୍ରସ୍ତାବ ଆଗତ କରିଥିଲେ ।
ଏଣିକି ଟିଟିଏସରୁ ଆରଡିଏଫ୍ ଉଠାଇବ ଡାଲମିଆ ସିମେଣ୍ଟ କାରଖାନା । ଟେଣ୍ଡରରେ ଡାଲମିଆ ସବୁଠାରୁ କମ୍ ଦର ଧାର୍ଯ୍ୟ କରିଥିବାରୁ ତାହାକୁ ଚୟନ କରାଯାଇଛି । ଏହା ଫଳରେ ଟିଟିଏସରେ ଆଉ ବର୍ଜ୍ୟ ଜମା ହୋଇ ରହିବ ନାହିଁ । ଏହି ପ୍ରସ୍ତାବ ମଧ୍ୟ ଗୃହରେ ଆଲୋଚନା ହୋଇଥିଲା । ଏହି ସମସ୍ତ କାର୍ଯ୍ୟର ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା