
ଖୋର୍ଦ୍ଧା, ୧୮ ଏପ୍ରିଲ୍ (ହି.ସ.) - ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅତିରିକ୍ତ ଜିଲ୍ଲାପାଳ,ସାଧାରଣ,ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୧ତାରିଖରେ ଖୋର୍ଦ୍ଧା ଜିଲ୍ଲାର ମା ବରୁଣେଇ ପୀଠରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆୟୋଜନକୁ ସଫଳ କରିବା ନିମିତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଶନିବାର ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗରୁ ଦିଆଯାଇଥିବା ତାଲିକା ଅନୁଯାୟୀ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ଦ୍ୱାରା ଚୟନ କରାଯାଇଥିବା ଯୋଗ୍ୟ ହିତାଧିକାରୀ ମାନଙ୍କ ବିବାହ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆର୍ôଥକ ଦୁର୍ବଳ ପରିବାର ମାନଙ୍କୁ କନ୍ୟା ବିବାହ ପାଇଁ ସହାୟତା ପ୍ରଦାନ, ସମାଜରେ ଶିଶୁ ବିବାହକୁ ରୋକିବା ଓ ବିଧି ସମ୍ମତ ବୟସ ବିବାହକୁ ପ୍ରୋତ୍ସାହନ ଦେବା,ନାରୀ ମାନଙ୍କ ସମ୍ମାନ ଓ ସୁରକ୍ଷାକୁ ବଢ଼ାଇବା, କନ୍ୟା ସନ୍ତାନ ମାନଙ୍କ ପ୍ରତି ସାକାରତ୍ମକ ମନୋଭାବ ଗଢି ଉଠିବା, ସମାଜର ଲିଙ୍ଗଗତ ସମାନତାକୁ ଶକ୍ତିଶାଳୀ କରାଇବା ଏପରିକି ସମାଜରେ ଯୌତୁକ ପ୍ରଥା ବିରୋଧରେ ସଚେତନତା ସୃଷ୍ଟି କରିବା ଭଳି ଯୋଜନାର ମହତ ଉଦ୍ଦେଶ୍ୟ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପରିଚାଳନାରେ ସ୍ୱେଛାସେବୀ ସଂଗଠନ ପିପୁଲ୍ସ ଫୋରମ୍,ବିଭିନ୍ନ ଲାଇନ୍ ଡିପାର୍ଟମେଂଟ ବିଭାଗ ଯଥା ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ,ପୋଲିସ ପ୍ରଶାସନ, ୱାଟକୋ ,ଟି ପି ସି ଓ ଡି ଏଲ, ପୌର ପରିଷଦ, ଖୋର୍ଦ୍ଧା,ସଫା ସୂତରା ଆଦି ବିଭିନ୍ନ କାର୍ଯ୍ୟ ଓ ଅତ୍ୟାବଶ୍ୟକ କାର୍ଯ୍ୟ ସମ୍ପାଦନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ, ଖୋର୍ଦ୍ଧା ସଂକଳ୍ପ ସ୍ୱସ୍ତିକ ସାହୁ, ଉପଜିଲ୍ଲାପାଳ, ଭୁବନେଶ୍ୱର ଡ଼ଃ ମନୋରଞ୍ଜନ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଲକ୍ଷ୍ମଣ କୁମାର ବେହେରା,ଡେପୁଟୀ କଲେକ୍ଟର, ସାରା ମଲ୍ଲିକ, ସ୍ୱିଟୀ ସୋରେନ, ଆସିଷ୍ଟାଂଟ କଲେକ୍ଟର ଋଷବ୍ ତ୍ରିପାଠୀ, ଇପ୍ସିତା ସାହୁ, ଅତିରିକ୍ତ ଅଗ୍ନିଶମ ସେବା ଅଧିକାରୀ ମୀନକେତନ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ, ଚୌଧୁରୀ ଅରବିନ୍ଦ ଦାସ,ବ୍ଲକ୍ ଉନ୍ନୟନ ଅଧିକାରୀ, ଖୋର୍ଦ୍ଧା ସିଦ୍ଧାର୍ଥ ପଟ୍ଟନାୟକଙ୍କ ସମେତ ବରିଷ୍ଟ ଅଧିକାରୀ ମାନେ ଯୋଗ ଦେଇଥିଲେ କ୍ଷ ବୈଠକକୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ ପରିଚାଳନା କରିଥିବା ବେଳେ ପି ଓ ସୌଦାମିନୀ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରାକେଶ