
ଚମ୍ପୁଆ, ୧୮ ଏପ୍ରିଲ୍ (ହି.ସ.) - କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଭୂଇଁପୁର ଗ୍ରାମପଂଚାୟତ ଅନ୍ତର୍ଗତ ମେମେର୍ଦା ନାଳ ବାଲି ମାଫିଆଙ୍କ ଚରା ଭୂଇଁ ପାଲଟିଛି। ଭୂଇଁପୁର ଶିବ ମନ୍ଦିର ବାଲିଘାଟ ଠାରୁ ଆରମ୍ଭ କରି ରାଉତରାପୁର ଭଙ୍ଗାପୋଲ (ହାତୀମିନାର) ବାଲିଘାଟ ପର୍ଯ୍ୟନ୍ତ ଅଂଚଳ ଏବେ ମାଫିଆଙ୍କ କବଜାରେ। ଦିନରାତି ଶହ ଶହ ଟ୍ରାକ୍ଟରରେ ବେଧଡ଼କ ଚୋରା ବାଲି ଚାଲାଣ ହେଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଜାଲିଗ୍ରାମ, ବର୍ଦ୍ଧନା, ଭରତିଆ ସାହି ଏବଂ ରାଉତରାପୁର ଗ୍ରାମର ଅନେକ ଟ୍ରାକ୍ଟର ଏହି ବେଆଇନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ଏହି ଘାଟ ଗୁଡ଼ିକରୁ ଖୋଳାଯାଇ ବାହାରକୁ ଚାଲାଣ କରାଯାଉଛି। ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିବା ବେଳେ ପ୍ରାକୃତିକ ସମ୍ପଦର ଲୁଟ୍ ଚାଲିଛି। ଏହି ବେଆଇନ କାରବାର ବିଷୟରେ ଖଣି ବିଭାଗ, ପୋଲିସ ପ୍ରଶାସନ, ତହସିଲ କାର୍ଯ୍ୟାଳୟ ଏବଂ ଉପ-ଜିଲ୍ଲାପାଳଙ୍କ ନିକଟରେ ଖବର ଥିଲେ ମଧ୍ୟ ସମସ୍ତେ କାହିଁକି ଚୁପ୍ ବସିଛନ୍ତି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ? ପ୍ରଶାସନର ଏହି ନୀରବତା ପଛରେ ଅଧିକାରୀ ଏବଂ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଗ୍ରାମବାସୀଙ୍କ କହିବା ଅନୁସାରେ ବାଲି ମାଫିଆମାନେ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଲୋକ କହି ନିର୍ଭୟରେ ଚୋରା ବାଲି ଚାଲାଣ କରୁଛନ୍ତି। ଯାହା ମୁଖ୍ୟମନ୍ତ୍ରୀଙ୍କ ଛବିକୁ ମଧ୍ୟ ଖରାପ କରୁଛି। ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦିଏ, ତେବେ ଆଗାମୀ ଦିନରେ ଅଂଚଳର ପରିବେଶ ଅବସ୍ଥା ଶୋଚନୀୟ ହୋଇପଡ଼ିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉପରୁ ମଧ୍ୟ ଲୋକଙ୍କ ଆସ୍ଥା ତୁଟି ଯିବ। ତେଣୁ ବାଲି ଘାଟରେ ଚଢ଼ାଉ କରି ଗାଡ଼ି ଗୁଡ଼ିକୁ ଜବତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta