
ଜୟପୁର, ୧୮ ଅପ୍ରେଲ (ହି.ସ.)- କୋରାପୁଟ ଜିଲ୍ଲା ପୋଲିସ ଅଧୀକ୍ଷକ ରୋହିତ ବର୍ମାଙ୍କ ନେତୃତ୍ୱରେ ଶୁକ୍ରବାର ଜୟପୁର ଦଶହରା ପଡ଼ିଆ ଠାରେ ଏକ ଟ୍ରାଇଙ୍ଗୁଲାର ସିରିଜ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜୟପୁର ଟାଉନ ପୋଲିସ, ଜୟପୁର ସଦର ପୋଲିସ ଏବଂ ବୈପାରିଗୁଡ଼ା ପୋଲିସ ଏହି ତିନୋଟି ଦଳ ଅଂଶଗ୍ରହଣ କରିଥିଲେ। ଉଦ୍ଘାଟନ ମ୍ୟାଚ୍ ରେ ବୈପାରିଗୁଡ଼ା ଦଳର ଅଧିନାୟକ ଭୂମିକା ଗ୍ରହଣ କରିଥିଲେ। ଏସପି ରୋହିତ ବର୍ମା ଏବଂ ଜୟପୁର ଟାଉନ ଥାନା ପୋଲିସ ଦଳର ନେତୃତ୍ୱ ନେଇଥିଲେ ଜୟପୁର ଏସଡିପିଓ କୁମାରୀ ଅର୍ଚ୍ଚିତା ମିତ୍ତଲ୍। ୧୦ ଓଭର ବିଶିଷ୍ଟ ଏହି ମ୍ୟାଚ୍ ରେ ବୈପାରିଗୁଡ଼ା ପ୍ରଥମ ବ୍ୟାଟିଂ କରି ୪ ୱିକେଟ ହରାଇ ୬୨ ରନ ସଂଗ୍ରହ କରିଥିଲା। ଜୟପୁର ଟାଉନ ଦଳ ୫ ୱିକେଟ ହରାଇ ୬୩ ରନ ସଂଗ୍ରହ କରି ୧ ୱିକେଟ ବ୍ୟବଧାନରେ ବିଜୟ ଲାଭ କଲା। ଦ୍ୱିତୀୟ ମ୍ୟାଚ୍ ରେ ବୈପାରିଗୁଡ଼ା ପ୍ରଥମ ବ୍ୟାଟ୍ କରି ୫ ୱିକେଟ ହରାଇ ୬୭ ରନ କରିଥିଲା। ଜୟପୁର ସଦର ଦଳ ମାତ୍ର ୭.୫ ଓଭରରେ ୫ ୱିକେଟ ହାତରେ ରଖି ୬୮ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ। ଅନ୍ତିମ ମ୍ୟାଚ୍ ରେ ଜୟପୁର ସଦର ଦଳ ପ୍ରଥମ ବ୍ୟାଟିଂ କରି ୧୦ ଓଭରରେ ୯ ୱିକେଟ ହରାଇ ୮୪ ରନ ସଂଗ୍ରହ କରିଥିଲା। ଏହି ଲକ୍ଷ୍ୟ ପହଞ୍ଚାଇବାରେ ଟାଉନ ଦଳ ଅସଫଳ ହୋଇ ୧୦ ଓଭରରେ ୭ ୱିକେଟ ହରାଇ ମାତ୍ର ୬୪ ରନ ସଂଗ୍ରହ କରିପାରିଲା। ଫଳରେ ଜୟପୁର ସଦର ପୋଲିସ ଦଳ ୨୦ ରନ ବ୍ୟବଧାନରେ ବିଜୟୀ ହୋଇ ଚାମ୍ପିଅନ୍ସ ଟ୍ରଫି ହାତେଇଛନ୍ତି। ଜୟପୁର ଟାଉନ ଥାନା ଦଳ ରନର୍ସ ଅପ୍ ଭାବେ ଉପହାର ଲାଭ କଲା। ଏହି ଅବସରରେ ଏସପି ରୋହିତ ବର୍ମା କହିଛନ୍ତି ଯେ, ଗ୍ରୀଷ୍ମ ଋତୁରେ ପୋଲିସ ବାହିନୀ କର୍ମୀଙ୍କ ଶାରୀରିକ ସୁସ୍ଥତା ଯାଞ୍ଚ ସହ ଦଳଗତ ଭାବନା ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ବନ୍ଧୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା।
ଏହି ଟ୍ରାଇଙ୍ଗୁଲାର ସିରିଜରେ ଏସପି ରୋହିତ ବର୍ମା, ଅତିରିକ୍ତ ଏସପି ଅଭିଷେକ ପାଣିଗ୍ରାହୀ, ଆଇପିଏସ ପ୍ରୋବେସନାରୀ ଭି. ରମାସଦନ, ଏସଡିପିଓ ଅର୍ଚ୍ଚିତା ମିତ୍ତଲ୍, ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ, ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ, ବୈପାରିଗୁଡ଼ା ଥାନା ଅଧିକାରୀ ଡମ୍ବରୁଧର ବତ୍ରୀଆ ଓ ବହୁ ସଂଖ୍ୟକ ପୋଲିସ କର୍ମୀ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି