
ଝାରସୁଗୁଡ଼ା, ୧୮ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବିଦ୍ୟୁତ୍ ବିଭାଗ ସେକ୍ସନ ଅଧୀନ ପୋଖରାସାହ୍ଲେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଦ୍ୟୁତ୍ ସମସ୍ୟା ଚରମ ସୀମାକୁ ପହଞ୍ଚିଛି। ବିଗତ ଚାରି ଦିନ ଧରି ପ୍ରତିଦିନ ସକାଳ ୧୧ଟା ପରେ ବିଦ୍ୟୁତ୍ କାଟ ହେଉଥିବା ସହ ସନ୍ଧ୍ୟା ବେଳେ ଲାଇନ୍ ଆସୁଥିବା ଅଭିଯୋଗ ହେଉଛି। ପ୍ରଚଣ୍ଡ ଗରମ ମଧ୍ୟରେ ଏହିଭଳି ବିଦ୍ୟୁତ୍ ବିଭ୍ରାଟ ଫଳରେ ଅଞ୍ଚଳବାସୀଙ୍କ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ପୋଖରାସାହ୍ଲେ, ମାଳିଡିହି, ଲରିଆପାଲି, ଗହ୍ମାପାଲି ଓ ଲୁଡ଼ୁଙ୍ଗ ଭଳି ଗ୍ରାମଗୁଡ଼ିକରେ ଏହି ସମସ୍ୟା ବ୍ୟାପକ ଭାବେ ଦେଖାଦେଇଛି। ଦିନରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବା ବେଳେ ବିଦ୍ୟୁତ୍ ବନ୍ଦ ହେବାରୁ ଫ୍ୟାନ୍ ଓ ଅନ୍ୟାନ୍ୟ ବିଦ୍ୟୁତ୍ ଉପକରଣ ଚାଲୁନଥିବାରୁ ଲୋକମାନେ ଅସହ୍ୟ କଷ୍ଟ ଭୋଗୁଛନ୍ତି। ଗରମରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଫଲ୍ଟ ଥିବା ସହ ବିଦ୍ୟୁତ୍ ବିଭାଗ ଦ୍ୱାରା ସଠିକ୍ ରକ୍ଷଣାବେକ୍ଷଣ ନହେବାରୁ ଏହି ସମସ୍ୟା ଦିନକୁ ଦିନ ବଢ଼ୁଛି। ଘଣ୍ଟମାଲରୁ ମାଳିଡିହି ମଧ୍ୟରେ ଅନେକ ପୁରୁଣା ଓ ବିପଦପୂର୍ଣ୍ଣ ଲୁହାର ବିଦ୍ୟୁତ୍ ଖୁମ୍ବ ରହିଛି, ଯାହାର କିଛି ତଳ ଭାଗ କଳଙ୍କି ଲାଗି ଦୁର୍ବଳ ହୋଇପଡ଼ିଛି। କେତେକ ସ୍ଥାନରେ ସଟସର୍କିଟ ହୋଇ ଖୁମ୍ବ ତଳରେ ଗଛ ଲତା ପୋଡ଼ିଯାଇଥିବା ମଧ୍ୟ ଦେଖାଯାଇଛି ତଥା କେତେକ ସ୍ଥାନରେ ବିଦ୍ୟୁତ୍ ତାର ଗଛ ଶାଖାରେ ଲାଗି ରହିଥିବାରୁ ବିପଦର ସମ୍ଭାବନା ବଢ଼ିଛି।
ଅନ୍ୟପଟେ, ମାଳିଡିହି ଓ ଲରିଆପାଲି ଅଞ୍ଚଳରେ ଏବି ସ୍ୱିଚ୍ ନଥିବାରୁ ବିଦ୍ୟୁତ୍ ଫଲ୍ଟ ଚିହ୍ନଟ କରିବାରେ ବିଭାଗୀୟ କର୍ମଚାରୀଙ୍କୁ ଦୁର୍ଭୋଗ ସହିବାକୁ ପଡ଼ୁଛି। ଫଲ୍ଟ ଖୋଜିବା ପାଇଁ ୮ରୁ ୧୦ କିଲୋମିଟର ଅଞ୍ଚଳ ଘୁରିବାକୁ ପଡ଼ୁଥିବାରୁ ବିଦ୍ୟୁତ୍ ପୁନଃସ୍ଥାପନରେ ବିଳମ୍ବ ହେଉଛି।
ଏହି ପରିସ୍ଥିତିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ଶୀଘ୍ର ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଛନ୍ତି।
ଏନେଇ କୋଲାବିରା ବିଦ୍ୟୁତ୍ ସେକ୍ସନ ଅଧିକାରୀ କମଳ ଲୋଚନ ପାତ୍ର କହିଛନ୍ତି ଯେ, ପୋଖରାସାହ୍ଲେ ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରାୟ ୧୫ଟି ବିପଦପୂର୍ଣ୍ଣ ଖୁମ୍ବ ଚିହ୍ନଟ ହୋଇଥିବା ସହ ଶୀଘ୍ର ସେଗୁଡ଼ିକୁ ପରିବର୍ତ୍ତନ କରାଯିବ। ଏବଂ ଲରିଆପାଲି ଓ ମାଳିଡିହିରେ ନୂତନ ଏବି ସ୍ୱିଚ୍ ଲାଗିବାକୁ ଯୋଜନା ରହିଛି।
ବିଭାଗୀୟ ଏସଡିଓ ଆଲୋକ ସିଂ ମଧ୍ୟ କହିଛନ୍ତି ଯେ, ଅତିଶୀଘ୍ର ଏହି ଅଞ୍ଚଳର ବିଦ୍ୟୁତ୍ ସମସ୍ୟାର ସମାଧାନ କରାଯିବ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ