


ବଲାଙ୍ଗିର, ୧୮ ଏପ୍ରିଲ୍ (ହି.ସ.)- ବଲାଙ୍ଗିର ସ୍ଥିତ ସ୍ୱରାଜ ହସ୍ପିଟାଲ୍ ଏବଂ ରିସର୍ଚ୍ଚ ଇନ୍ଷ୍ଟିଟ୍ୟୁଟ୍ ଏହାର ପ୍ରତିଷ୍ଠାତା ଡାକ୍ତର ସୁଜ୍ଞାନେନ୍ଦ୍ର ମିଶ୍ରଙ୍କର ୬୯ତମ ଜନ୍ମ ଦିନ ଅବସରରେ ଆଜି ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ସାମାଜିକ ଦାଇତ୍ୱ ନିଭେଇବା ସହ ସମାଜକୁ ସନ୍ଦେଶ ଦିଆଯାଇଥିଲା ଯେ, ରକ୍ତଦାନ କରିବା ଦ୍ୱାରା ଆମେ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇ ପାରିବା ।
ଏହି ରକ୍ତଦାନ ଶିବିରରେ ହସ୍ପିଟାଲ୍ ର ଡାକ୍ତର, ନର୍ସିଂ ଷ୍ଟାଫ୍, ସିକ୍ୟୁରିଟି କର୍ମଚାରୀ, ହାଉସକିପିଂ ଷ୍ଟାଫ୍ ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ, ସ୍ଥାନୀୟ ପ୍ରତିନିଧି, ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସାଧାରଣ ଲୋକ ଓ ସାମ୍ବାଦିକମାନେ ଉତ୍ସାହର ସହ ରକ୍ତଦାନ କରିଥିଲେ ।
ହସ୍ପିଟାଲ୍ ପକ୍ଷରୁ ସୁଚାରୁ ଭାବେ ପରିଚାଳିତ ଏହି କ୍ୟାମ୍ପରେ ମୋଟ ୧୦୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଶିବିରର ପରିଚାଳନା ହସ୍ପିଟାଲ୍ କର୍ମଚାରୀମାନଙ୍କ ଦ୍ୱାରା ସଫଳତାର ସହ କରାଯାଇଥିଲା। ଏତେ ପରିମାଣର ରକ୍ତ ସଂଗ୍ରହ ବିଗତ ଚାରିମାସରେ କୌଣସି ଶିବିରରେ ହୋଇନଥିବାର ଜଣାପଡିଛି |
ଏହି ଅବସରରେ ଡାକ୍ତର ମିଶ୍ର ରକ୍ତଦାନର ଗୁରୁତ୍ୱ ଉପରେ ଜୋର ଦେଇ ସମସ୍ତଙ୍କୁ ନିୟମିତ ଭାବରେ ରକ୍ତଦାନ କରିବାକୁ ଆହ୍ୱାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ସମାଜରେ ମାନବ ସେବା ଓ ସଚେତନତା ବୃଦ୍ଧି ପାଇଁ ଏକ ଉତ୍କୃଷ୍ଟ ପ୍ରୟାସ ଭାବେ ପ୍ରଶଂସା ଅର୍ଜନ କରିଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ