ଗମ୍ଭାରୀମୁଣ୍ଡା ଠାରେ ଜିଲ୍ଲାସ୍ତରୀୟ କୃଷକ ଦିବସ ତଥା ପବିତ୍ର ଅକ୍ଷୟ ତୃତୀୟା ପାଳନ କରାଯିବ
ଖୋର୍ଦ୍ଧା, ୧୮ ଏପ୍ରିଲ୍(ହି.ସ.) – ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ଆସନ୍ତା ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳନ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା
Akhitrutia


ଖୋର୍ଦ୍ଧା, ୧୮ ଏପ୍ରିଲ୍(ହି.ସ.) – ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ଆସନ୍ତା ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳନ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ପୂର୍ତ, ଆଇନ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିବା ନେଇ ଓଡ଼ିଶା ସରକାରଙ୍କ ତରଫରୁ ସୂଚନା ଆସିଥିବାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସମସ୍ତଙ୍କୁ ଅବଗତ କରିଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ବ୍ଲକର ଗମ୍ଭାରୀମୁଣ୍ଡା ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବାର ସ୍ଥିର କରାଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ କୃଷକ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସଙ୍ଗେ ସଙ୍ଗେ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀ କୃଷକ ସହାୟତା ରାଶି ପ୍ରଦାନର ସିଧା ପ୍ରସାରଣ ଦେଖିବା ନିମନ୍ତେ ବ୍ୟବସ୍ଥା କରାଯାଉଛି। ଏଥିରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ, ପୁରୀ ଓ ଭୁବନେଶ୍ୱର ସାଂସଦ, ଅନ୍ୟ ବିଧାୟକ ଗଣ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ, ବାଣପୁର ପଂଚାୟତ ସମିତିର ଅଧ୍ୟକ୍ଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଉପଜିଲ୍ଲାପାଳ, ଭୁବନେଶ୍ୱର ମନୋରଞ୍ଜନ ସାହୁ, ଖୋର୍ଦ୍ଧା ଉପଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ, ବିଡିଓ ବାଣପୁର, ବିଡିଓ ଚିଲିକା, କୃଷି ଜିଲ୍ଲା ଅଧିକାରୀ, ଖୋର୍ଦ୍ଧା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉପସ୍ଥିତ ଥିବା ବ୍ଲକ କୃଷି ଅଧିକାରୀ, ବାଣପୁର, ଟାଙ୍ଗୀ ଓ ଚିଲିକାଙ୍କୁ ସଭାସ୍ଥଳରେ କୃଷକମାନଙ୍କର ସୁବିଧା ନିମନ୍ତେ ଆବଶ୍ୟକ ମୁତାବକ ପଦକ୍ଷେପ ନେବାପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande