ଭୁବନେଶ୍ୱରରେ ପିଏମଏୱାଇ - ୟୁର ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ର ଯୁଗ୍ମ ସଚିବ
ଭୁବନେଶ୍ୱର, ୧୮ ଏପ୍ରିଲ (ହି.ସ.)- ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଂଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ କୁଲଦୀପ ନାରାୟଣ ଶନିବାର ଭୁବନେଶ୍ୱର ଗସ୍ତ କରି ଓଡ଼ିଶାରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ସହରାଂଚଳ’ (ପିଏମଏୱାଇ - ୟୁ) ଏବଂପିଏମଏୱାଇ - ୟୁ ୨.୦ ର କାର୍ଯ୍ୟକାରିତା ସମୀକ୍ଷା କରିଛନ୍
ଭୁବନେଶ୍ୱରରେ ପିଏମଏୱାଇ - ୟୁର ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ର ଯୁଗ୍ମ ସଚିବ


ଭୁବନେଶ୍ୱର, ୧୮ ଏପ୍ରିଲ (ହି.ସ.)- ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଂଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ କୁଲଦୀପ ନାରାୟଣ ଶନିବାର ଭୁବନେଶ୍ୱର ଗସ୍ତ କରି ଓଡ଼ିଶାରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ସହରାଂଚଳ’ (ପିଏମଏୱାଇ - ୟୁ) ଏବଂପିଏମଏୱାଇ - ୟୁ ୨.୦ ର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି।

ଏହି ଗସ୍ତ ସମୟରେ ଶ୍ରୀ ନାରାୟଣ ସହରର ତିନୋଟି ପ୍ରମୁଖ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିଥିଲେ।ପ୍ରଥମେ ସେ ଚନ୍ଦ୍ରଶେଖରପୁରସ୍ଥିତ 'ଆଫୋର୍ଡେବଲ୍ ହାଉସିଂ ଇନ୍ ପାର୍ଟନରସିପ୍' ପ୍ରକଳ୍ପ ପରିଦର୍ଶନ କରିଥିଲେ। ସହରାଂଚଳର ହିତାଧିକାରୀଙ୍କୁ ଶସ୍ତା ଓ ଗୁଣାତ୍ମକ ବାସଗୃହ ଯୋଗାଇବା ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟର ସେ ସମୀକ୍ଷା କରିଥିଲେ।ଏହାପରେ ସେ ଶୈଳଶ୍ରୀ ବିହାର ନିକଟସ୍ଥ ହରେକୃଷ୍ଣ ନଗର ପରିଦର୍ଶନ କରିଥିଲେ, ଯେଉଁଠାରେ ପିଏମଏୱାଇ - ୟୁର 'ହିତାଧିକାରୀଙ୍କ ଦ୍ୱାରା ନିର୍ମାଣ' ବର୍ଗରେ ହିତାଧିକାରୀଙ୍କୁ ଗୃହ ଯୋଗାଇ ଦିଆଯାଉଛି। ସେଠାରେ ସେ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଠିକ୍ ସମୟରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବାରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ।

ପ୍ରଗତିବିହାର ବସ୍ତି ପିଏମଏୱାଇ - ୟୁ ୨.୦ ଅଧୀନରେ ଏକ ଅନନ୍ୟ ଉଦାହରଣ ଭାବେ ଉଭା ହୋଇଛି। ଏଠାରେ ମୋଟ ୪୪ଟି ଗୃହ ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ ୩୪ ଜଣ ହିତାଧିକାରୀ କିନ୍ନର ସମ୍ପ୍ରଦାୟର ଅଟନ୍ତି। ମୁଖ୍ୟ ସ୍ଥପତି ଅଶୋକ ବି. ଲାଲଙ୍କ ବୈଷୟିକ ସହାୟତା ଏବଂ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ସହଯୋଗରେ ଏହାକୁ ଏକ ମଡେଲ ଅନ୍ତର୍ଭୁକ୍ତିକରଣ ଆବାସ କ୍ଲଷ୍ଟର ଭାବେ ବିକଶିତ କରାଯାଉଛି।

ଏହି ପାଇଲଟ୍ ପ୍ରକଳ୍ପରେ ଜଳବାୟୁ ଅନୁକୂଳ, ପରିବେଶ ସନ୍ତୁଳିତ ଏବଂ ଶକ୍ତି ସଞ୍ଚୟକାରୀ ବାସଗୃହ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି। ଶ୍ରୀ ନାରାୟଣ ରାଜ୍ୟର ଏହି ପ୍ରଗତିଶୀଳ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ।

କ୍ଷେତ୍ର ପରିଦର୍ଶନ ପରେ ଖାରବେଳ ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଏବଂ ଭୁବନେଶ୍ୱର ମହାନଗର ନିଗମର ପଦାଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ପିଏମଏୱାଇ - ୟୁ ଏବଂ ପିଏମଏୱାଇ - ୟୁ ୨.୦ ର ସଫଳତା, ଆହ୍ୱାନ ଏବଂ ଭବିଷ୍ୟତର ରଣନୀତି ଉପରେ ଆଲୋଚନା କରାଯାଇଥିଲା। ଶ୍ରୀ ନାରାୟଣ ପ୍ରକଳ୍ପଗୁଡ଼ିକର ସମୟାନୁବର୍ତୀ ସମାପ୍ତି, ନିର୍ମାଣର ଗୁଣାତ୍ମକ ମାନ ଏବଂ ହିତାଧିକାରୀଙ୍କ ସନ୍ତୋଷ ଉପରେ ଗୁରୁତ୍ୱାରୋପ କରିଥିଲେ।ସହରାଂଚଳରେ ସମସ୍ତଙ୍କ ପାଇଁ ବାସଗୃହ ଲକ୍ଷ୍ୟ ହାସଲ କରିବା ସହ ସମ୍ମାନଜନକ ଜୀବନଧାରଣ ନିଶ୍ଚିତ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande