
ଭଦ୍ରକ, ୧୮ ଅପ୍ରେଲ (ହି.ସ.) - ପରମ ଶାସ୍ତ୍ର ଭାଗବତର ପ୍ରଚାର ପ୍ରସାର ତଥା ସାଧାରଣ ଜନତାଙ୍କ ମଧ୍ୟରେ ଭଗବତ ବିଶ୍ୱାସ ଉଦ୍ରେକ କରିବା ଉଦ୍ଦେଶ୍ୟରେ ଗ୍ରାମେ ଗ୍ରାମେ ଶହ ଶହ ବର୍ଷ ପୂର୍ବରୁ ଭାଗବତ ସପ୍ତାହ ପାଳନ ହୋଇଆସୁଅଛି। ସେହି କ୍ରମରେ ଧାମନଗର ବ୍ଳକ ଅଧିନ ରାଧାବଲ୍ଲଭପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଝାଟିଆସାହି ଗ୍ରାମର ବିଜେ ଜଗନ୍ନାଥ ମନ୍ଦିରରେ ଦାରୁ ବିଗ୍ରହଙ୍କ ନିକଟରେ ଅତିବଡି ଜଗନ୍ନାଥ ଦାସଙ୍କ କୃତ ଭାଗବତ ସପ୍ତାହ ପାରାୟଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି। ଆଜି ଭାଗବତ ସପ୍ତାହର ୪ର୍ଥ ଦିବସରେ ବଳିଦାନ ଉପାଖ୍ୟାନ ପଠନ ହେଉଥିବାରୁ ବିଧିବିଧାନ ଅନୁଯାଇ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ବଳିଭୋଜ୍ୟ ଅର୍ପଣ ପୂର୍ବକ ସ୍ୱତନ୍ତ୍ର ପୂଜାପାଠ କରାଯାଇଅଛି ।ଏହି ପାରାୟଣ କାର୍ଯ୍ୟକ୍ରମରେ ଶ୍ରୋତା ବା କର୍ତା ଭାବେ ପଂଚାନନ ବେହେରା,ପୂର୍ଣ୍ଣଚନ୍ଦ୍ର ସାମଲ ଓ ସୁରେନ୍ଦ୍ର ସାହୁ ନିଯୁକ୍ତ ଥିବାବେଳେ ମୁଖ୍ୟ ଦାୟିତ୍ୱରେ ରମେଶ ଜେନା,ସୂର୍ଯ୍ୟକାନ୍ତ ନାୟକ,ଆନନ୍ଦ ସେଠୀ,ରଞ୍ଜିତ ଜେନା,ଶ୍ରୀରାମ ବେହେରା,ମନୋଜ ଭୁୟାଁ,ନରେନ୍ଦ୍ର ସାମଲ ପ୍ରମୁଖ କାର୍ଯ୍ୟ ତୁଲାଉଛନ୍ତି। ପ୍ରକାଶ ଥାଉକି ପ୍ରତ୍ୟେହ ଦିନ ଭଜନ କୀର୍ତନ ସହିତ ଆନନ୍ଦବଜାର ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶହ ଶହ ଶ୍ରଦ୍ଧାଳୁ ଭାଗବତ ଶ୍ରବଣ ଓ ଆନନ୍ଦ ବଜାରରେ ପ୍ରସାଦ ସେବନ ସହିତ ସମ୍ପୂର୍ଣ୍ଣ ଗ୍ରାମଟି କିଛିଦିନ ପାଇଁ ଶ୍ରୀକ୍ଷେତ୍ରର ଭ୍ରମ ସୃଷ୍ଟି ହୋଇଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ