
ଝାରସୁଗୁଡ଼ା, ୧୮ ଏପ୍ରିଲ୍ (ହି.ସ.)- ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଥିବା ପ୍ରମୁଖ ଶିଳ୍ପ ସଂସ୍ଥା, ମାଇନିଂ ବେଲ୍ଟ ଏବଂ ପରିବହନ କରିଡରରେ ଶ୍ରମିକ ଓ ଚାଳକମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଏକ ବ୍ୟାପକ ପ୍ରଶାସନିକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଭାସୀ ମାଧ୍ୟମରେ ଯୋଗଦେଇ ଉଭୟ ରାଜ୍ୟ ମଧ୍ୟରେ ସୂଚନା ଆଦାନ ପ୍ରଦାନ ଓ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଛନ୍ତି। ବିଶେଷ କରି ଶିଳ୍ପାଞ୍ଚଳ ଗୁଡ଼ିକରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଦୁଇ ରାଜ୍ୟ ମଧ୍ୟରେ ମାଲବାହୀ ଯାନ ନେଇ ଯାତାୟାତ କରୁଥିବା ଚାଳକମାନଙ୍କୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ଏକ ପୂର୍ଣ୍ଣାଙ୍ଗ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି।
ଗ୍ରୀଷ୍ମ ପ୍ରବାହ ସମୟରେ ଜନସାଧାରଣ ବିଶେଷ କରି ୪୯ ନମ୍ବର ଜାତୀୟ ରାଜପଥ ଦେଇ ଯାତାୟାତ କରୁଥିବା ଟ୍ରକ ଚାଳକ ଏବଂ ହେଲପରମାନଙ୍କ ସୁରକ୍ଷା ପାଇଁ ମଧ୍ୟ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବୈଠକରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଭାସୀ ମାଧ୍ୟମରେ ଯୋଗଦେଇ ସ୍ଥିତିର ସମୀକ୍ଷା କରିବା ସହିତ କହିଥିଲେ ଯେ, ୪୯ ନମ୍ବର ଜାତୀୟ ରାଜପଥ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଏଠାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଯେପରି କୌଣସି ଜୀବନହାନି ନହୁଏ, ତାହା ନିଶ୍ଚିତ କରିବା ପୋଲିସ ଓ ପ୍ରଶାସନର ମୁଖ୍ୟ ଦାୟିତ୍ୱ। ବିଶେଷ କରି ପୂର୍ବାହ୍ନ ୧୧ଟା ପରେ ଏହି ମାର୍ଗରେ ସୁରକ୍ଷା ବ୍ୟବସ୍ଥା ଓ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ସେ ଏକ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋବିନ୍ଦପୁର ଟୋଲ୍ ପ୍ଲାଜା ନିକଟରେ ସିନଟେକ୍ସ ଟାଙ୍କି ଏବଂ ପାନୀୟ ଜଳର ସୁବିଧା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।
ଏହି ବୈଠକରେ, ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ, ରାୟଗଡ଼ (ଛତିଶଗଡ଼) ଜିଲ୍ଲାପାଳ ମୟଙ୍କ ଚତୁର୍ବେଦୀ, ଏମ.ସି.ଏଲ୍ ର ସିଏମଡି ଉଦୟ ଏ. କାଓଲେ (ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ) ଏବଂ ଉଭୟ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଝାରସୁଗୁଡ଼ା ଜିଲ୍ଲାପାଳ କହିଥିଲେ ଯେ, ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି ଏବଂ ଗ୍ରୀଷ୍ମ ପ୍ରବାହ ଅଞ୍ଚଳରେ ବିଶେଷ ନଜର ରଖାଯାଇଛି। ସେହିପରି ରାୟଗଡା ଜିଲ୍ଲାପାଳ ଶ୍ରୀ ଚତୁର୍ବେଦୀ ଚାଳକମାନଙ୍କ ସଚେତନତା ଓ ସୁରକ୍ଷା କରିଡର ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିଲେ। ଏନଏଚଏଆଇ ଏବଂ ପିଡବଲୁଡି ବିଭାଗ ସହାୟତାରେ ବିଭିନ୍ନ ସ୍ଥାନରେ ସଚେତନତାମୂଳକ ସାଇନ ବୋର୍ଡ ଲଗାଯିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ।
ଏହି ବୈଠକରେ, ଗ୍ରୀଷ୍ମ ପ୍ରବାହର ମୁକାବିଲା ଏବଂ ଚାଳକମାନଙ୍କ ସୁରକ୍ଷା ପାଇଁ ଏହି ସମନ୍ୱୟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏପ୍ରିଲ ଏବଂ ମେ ମାସରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନନ୍-ଏସି ପରିବହନ ଯାନ ଚଳାଚଳ ଉପରେ କଟକଣା ଲଗାଯିବା ସହ ଶ୍ରମିକମାନଙ୍କ ପାଇଁ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲା ସ୍ଥାନରେ କାର୍ଯ୍ୟ କରିବାକୁ ନିଷେଧ କରାଯାଇଛି। ପରିବହନ ଯାନଗୁଡ଼ିକର କ୍ରୁ-କ୍ୟାବିନକୁ ଏସିରେ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଜାତୀୟ ରାଜପଥ କଡ଼ରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜଳଛତ୍ର ଓ ହାଇଡ୍ରେସନ କିଓସ୍କ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଗୋବିନ୍ଦପୁର ଟୋଲ୍ ପ୍ଲାଜା ନିକଟରେ ମୋବାଇଲ୍ ୱାଟର କିଓସ୍କ ବ୍ୟବସ୍ଥା କରାଯିବ। ଟ୍ରକ ପାର୍କିଂ ଅଞ୍ଚଳରେ ପର୍ଯ୍ୟାପ୍ତ ଛାଇ, ପାନୀୟ ଜଳ, ବିଶ୍ରାମ କକ୍ଷ ଏବଂ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଶିଳ୍ପ ଓ ପରିବହନ ସଂସ୍ଥାଗୁଡ଼ିକୁ କୁହାଯାଇଛି। ଏହା ବ୍ୟତୀତ, ରାସ୍ତାରେ ୱାଟର ସ୍ପ୍ରିଙ୍କଲର ବ୍ୟବହାର ଏବଂ ଜରୁରୀକାଳୀନ ସ୍ଥିତି ପାଇଁ ୪୯ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଆମ୍ବୁଲାନ୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି। ମଣିଷଙ୍କ ସହ ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ଜଳକୁଣ୍ଡର ବ୍ୟବସ୍ଥା କରିବାକୁ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଚାଳକମାନଙ୍କ ସୁରକ୍ଷା ପାଇଁ ଯାନବାହନ ବୀମା ସହିତ ସେମାନଙ୍କ ଜୀବନ ବୀମାକୁ ସଂଯୋଗ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହ ବିଭିନ୍ନ ସ୍ଥାନରେ ଓ.ଆର.ଏସ. ରଖିବା ପାଇଁ ମଧ୍ୟ ମେଡିକାଲ ଟିମ୍ କୁ କୁହାଯାଇଛି।
ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କିଶୋର ଚନ୍ଦ୍ର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବୈଠକରେ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜରୁରୀକାଳୀନ ଅଧିକାରୀ ମୃତ୍ୟୁଞ୍ଜୟ ସବର, ଉଭୟ ଜିଲ୍ଲାର ଶ୍ରମ ଅଧିକାରୀ ଏବଂ ଆଞ୍ଚଳିକ ପରିବହନ ଅଧିକାରୀମାନେ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଏହି ବୈଠକରେ ଆଲୋଚନା କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ