
ସମ୍ବଲପୁର, ୧୮ ଏପ୍ରିଲ୍(ହି.ସ.) – ସମଗ୍ର ପଶ୍ଚିମ ଓଡ଼ିଶାରେ ଏବେ ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଏପରିକି ସକାଳ ୯ଟା ପରଠାରୁ ଘରୁ ପଦାକୁ ବାହାରିବା ଅସମ୍ଭବ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ବିଭିନ୍ନ ସରକାରୀ ବେସରକାରୀ ସ୍କୁଲରେ ପାଠ ପଢୁଥିବା କୋମଳମତି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ତିନିଦିନ ପର୍ଯ୍ୟନ୍ତ ଛୁଟି ଘୋଷଣାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଏପ୍ରିଲ ୨୦ ରୁ ୨୨ ତାରିଖ ତିନି ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲା ଶିକ୍ଷା ବିଭାଗ। ସୂଚନାଯୋଗ୍ୟ ବର୍ତମାନର ମାତ୍ରାଧିକ ଟାଣ ଖରା ଓ ଅସହ୍ୟ ଗରମ ପାଇଁ ଦିନ ମଜୁରିଆଙ୍କ ରୋଜଗାର ଏକ ରକମର ଠପ୍ ହୋଇଯାଇଥିବା ବେଳେ ଅଧିକାଂଶ ଛୋଟମୋଟ ବ୍ୟବସାୟୀଙ୍କ ରୋଜଗାର ପସରା ଅଚଳ ହୋଇ ପଡ଼ିଲାଣି। ଏହି ତିନି ଦିନିଆ ଛୁଟି ଘୋଷଣା ଛାତ୍ରଛାତ୍ରୀଙ୍କ ଅଭିଭାବକ ମହଲକୁ ଏକରକମ ଆଶ୍ୱସ୍ତ କରାଇଥିବା ବେଳେ ଅସହ୍ୟ ଗ୍ରୀଷ୍ମ ଖଟିଖିଆ, ଦୀନ ମଜୁରିଆ ଓ ଗରିବ ଗୁରୁବାଙ୍କୁ ରୋଜଗାର ଶୂନ୍ୟ କରାଇଦେଇଛି। ରାଜ୍ୟ ସରକାର ଏଦିଗରେ କିଛି ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା କରାଇଲେ ବହୁ ଲୋକେ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରୁ କୁହାଯାଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ