
କନ୍ଧମାଳ , ୦୨ ଏପ୍ରିଲ୍ (ହି.ସ.) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ 'ଓଡ଼ିଆ ପକ୍ଷ ୨୦୨୬' ଅବସରରେ ଆଜି କନ୍ଧମାଳ ଜିଲ୍ଲାରେ 'ଆମ ପୋଷାକ ଆମ ପରିଚୟ' କାର୍ଯ୍ୟକ୍ରମ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏପ୍ରିଲ ୧ ରୁ ୧୪ ପର୍ଯ୍ୟନ୍ତ ଚାଲୁଥିବା ଏହି ୧୪ ଦିନିଆ ସାଂସ୍କୃତିକ ମହାକୁମ୍ଭରେ ଆଜି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ପାରମ୍ପରିକ ଓଡ଼ିଆ ପୋଷାକର ଝଲକ ଦେଖିବାକୁ ମିଳିଛି। ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକ, ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗଦାଧର ପାତ୍ର, ଜିଲ୍ଲାର ବିଶିଷ୍ଟ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଫିସରେ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଓଡ଼ିଆ ପାରମ୍ପରିକ ହସ୍ତତନ୍ତ ପୋଷାକ ଓ ସମ୍ବଲପୁରୀ ବସ୍ତ୍ର ପରିଧାନ କରି କାର୍ଯ୍ୟ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ