ଉତ୍କଳ ସମ୍ମିଳନୀ ଏବଂ ଉତ୍କଳ ଆଶ୍ରମ ପକ୍ଷରୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୯୦ ବର୍ଷ ପୂରଣ ଅବସରରେ ଆଲୋଚନା ସଭା
ଗଞ୍ଜାମ, ୨ ଅପ୍ରେଲ (ହି.ସ.)- ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୯୦ ବର୍ଷ ପୂରଣ ଅଥବା ୯୧ ତମ ଉତ୍କଳ ଦିବସ ଅବସରରେ ବ୍ରହ୍ମପୁର ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଏବଂ ଉତ୍କଳ ଆଶ୍ରମ ମିଳିତ ଆନୁକୁଲ୍ୟରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀର ସଭାପତି ଡଃ.
ଉତ୍କଳ ସମ୍ମିଳନୀ ଏବଂ ଉତ୍କଳ ଆଶ୍ରମ ପକ୍ଷରୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୯୦ ବର୍ଷ ପୂରଣ ଅବସରରେ ଆଲୋଚନା ସଭା


ଗଞ୍ଜାମ, ୨ ଅପ୍ରେଲ (ହି.ସ.)- ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୯୦ ବର୍ଷ ପୂରଣ ଅଥବା ୯୧ ତମ ଉତ୍କଳ ଦିବସ ଅବସରରେ ବ୍ରହ୍ମପୁର ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଏବଂ ଉତ୍କଳ ଆଶ୍ରମ ମିଳିତ ଆନୁକୁଲ୍ୟରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀର ସଭାପତି ଡଃ. ସୁବ୍ରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମହାବିଦ୍ୟାଳୟ ସମୁହର ପ୍ରାକ୍ତନ ଅଧ୍ୟକ୍ଷ ରାଜନୀତି ବିଜ୍ଞାନ ବିଶାରଦ ପ୍ରଫେସର ଡକ୍ଟର ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଉତ୍କଳ ଆଶ୍ରମ ନ୍ୟାସ ର ବରିଷ୍ଠ ସଦସ୍ୟ କୃଷ୍ଣଚରଣ ସିଂହ ଏବଂ ସମ୍ମିଳନୀର ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମଞ୍ଚାସିନ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତା ଏବଂ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସ୍ବତନ୍ତ୍ର ସଚିବ ଡଃ. ସିଦ୍ଧାର୍ଥ ଶଙ୍କର ପାଢୀ ଆନ୍ଧ୍ର ପ୍ରଦେଶର ଇଛାପୁର ଠାରେ ଅନୁଷ୍ଠିତ ସାହିତ୍ୟ ଏକାଡେମୀର କାର୍ଯ୍ୟକ୍ରମରେ ଯୋଗଦାନ ଅବସରରେ ବ୍ରହ୍ମପୁର ଗସ୍ତ କରି ଉତ୍କଳ ସମ୍ମିଳନୀର ଆୟୋଜିତ ସଭାରେ ବରପୁତ୍ର ମାନଙ୍କର ଫୋଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଉତ୍କଳ ସମ୍ମିଳନୀ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରି ଉଦ୍ବୋଧନ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ତାଙ୍କର ଉଜ୍ଜୋସ୍ବିନୀ ଉଦ୍ବୋଧନରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ଗଞ୍ଜାମ ଜିଲ୍ଲାର ବରେଣ୍ୟ ବରପୁତ୍ର ମାନଙ୍କର ଅବଦାନ ଅବିସ୍ମରଣୀୟ ଓ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ଏବଂ ବହୁ ବାଧାବିଘ୍ନ ସତ୍ତ୍ୱେ ଓଡ଼ିଶା ର ବରପୁତ୍ର ମାନଙ୍କର ସ୍ବାର୍ଥ ତ୍ୟାଗ ଅଦମ୍ୟ ଅକ୍ଳାନ୍ତ ପରିଶ୍ରମ ବଳରେ ଭାରତ ବର୍ଷରେ ଓଡ଼ିଶା ଏକ ମାତ୍ର ଭାଷା ଭିତ୍ତିକ ରାଜ୍ୟ ଭାବରେ ୧୯୩୬ ଏପ୍ରିଲ ୧ ରେ ପ୍ରତିଷ୍ଠା ଲାଭ କରିଥିଲା ବୋଲି ମତପ୍ରକାଶ କରିଥିଲେ। ସଭାପତି ଡଃ. ସୁବ୍ରତ କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ କରି ପୂର୍ବ ସୂରୀ ମାନଙ୍କର ଅବଦାନ ବିଶେଷକରି ଗଞ୍ଜାମର ତତ୍ କାଳୀନ ନେତୃବର୍ଗ ଓ ଜନ ସାଧାରଣଙ୍କ ଉତ୍ସର୍ଗୀକୃତ ଅବଦାନ ଅବିସ୍ମରଣୀୟ ବୋଲି ମତପ୍ରକାଶ କରିଥିଲେ। ଏବଂ ଐତିହ୍ୟ ସମ୍ପର୍ଣ୍ଣ ଜାତୀୟ ସ୍ମାରକୀ ସ୍ମୃତି ପୀଠ ଉତ୍କଳ ଆଶ୍ରମର ପୁନଃ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ପତ୍ର ପ୍ରଦାନ ଯାଇଥିବା ବିଷୟ ଉଲ୍ଲେଖ କରିଥିଲେ। ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ଅତିଥି ଆବାହନ କରି ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଲୋଚନା ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ ଯେ, ଉତ୍କଳ ସମ୍ମିଳନୀ ଦ୍ବାରା ପ୍ରତିଷ୍ଠିତ ଉପାନ୍ତ ଅଞ୍ଚଳର ଓଡ଼ିଆ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ରାଜ୍ୟ ସରକାର ଦୀର୍ଘ ତିନିବର୍ଷ ହେଲା ଦରମା ପ୍ରଦାନ ନ କରିବାରୁ ସେମାନେ ଦୁଃଖ ତଥା ନୈରାଶ୍ୟରେ କାଳାତିପାତ କରୁଛନ୍ତି ତେଣୁ ରାଜ୍ୟ ସରକାର ଯଥାଶୀଘ୍ର ଏକ କାଳିନ ସମସ୍ତ ଦରମା ପ୍ରଦାନ କରିବା ସହ ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କ ସମତୁଲ ଦରମା ପ୍ରଦାନ କରନ୍ତୁ ବୋଲି ଦାବି କରିଥିଲେ। ସମ୍ମାନିତ ଅତିଥି ଉତ୍କଳ ଆଶ୍ରମର ନ୍ୟାସ ବରିଷ୍ଠ ସଦସ୍ୟ କୃଷ୍ଣଚରଣ ସିଂହ ଉତ୍କଳ ଆଶ୍ରମ ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉତ୍କଳ ସମ୍ମିଳନୀ ଏବଂ ଉତ୍କଳ ସମ୍ମିଳନୀ ପାଇଁ ଆଶ୍ରମ ଗଠନ କରିବା ପାଇଁ ବଡ଼ଖେମୁଣ୍ଡି ରାଜା କୃପାମୟ ଦେବଙ୍କ ସହ ଅନ୍ୟ ରାଜନ୍ୟ ବର୍ଗ ଏବଂ ଜନ ସାଧାରଣଙ୍କ ଅବଦାନ ସତରେ ଅବିସ୍ମରଣୀୟ। ଏହା ସମଗ୍ର ଓଡ଼ିଶାରେ ବିରଳ ବୋଲି ମତବ୍ୟକ୍ତ କରିଥିଲେ।

ଉତ୍କଳ ଦିବସ ଅବସରରେ ସକାଳେ ବ୍ରହ୍ମପୁର ମହାନଗର ଅଂଚଳର ବିଭିନ୍ନ ସ୍ଥାନରେ ଥିବା ବରେଣ୍ୟ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ସମ୍ମିଳନୀ ତରଫରୁ ମାଲ୍ୟାର୍ପଣ କରାଯାଇ ବରପୁତ୍ରଙ୍କ ସ୍ମୃତି ଚାରଣ ସ୍ଳୋଗାନ ଦିଆଯାଇଥିଲା। ଅନୁଷ୍ଠିତ ଆଲୋଚନା ସଭାରେ ସମ୍ମିଳନୀର ଉପସଭାପତି ଡ ବନମାଳୀ ପାଣିଗ୍ରାହୀ, ଜିଲ୍ଲା ପ୍ରତିନିଧି ଡାକ୍ତର ସମରେନ୍ଦ୍ର କୁମାର ସାହୁ, ଡ.ପ୍ରଫୁଲ୍ଲ କୁମାର ମହାନ୍ତି ହାରିତସ, ରମେଶ ଚନ୍ଦ୍ର ତ୍ରିପାଠୀ,ସୀମାଞ୍ଚଳ ପ୍ରସାଦ ବିଷୋୟୀ, ସୂର୍ଯ୍ୟ କାନ୍ତ ପାତ୍ର, ରାଜେନ୍ଦ୍ର କୁମାର ଦାସ,ବିରୁପାକ୍ଷ ଦାଶ ଶ୍ରୀମତୀ, ପଦ୍ମିନୀ ମିଶ୍ର, ଶ୍ରୀମତୀ ଏନ୍. ଲକ୍ଷ୍ମୀ ଆମ୍ମ, ଶ୍ରୀମତୀ ସବିତା ସାହୁକାର, ବଂଶୀଧର ସେଠୀ, ପ୍ରଫୁଲ୍ଲ କୁମାର ମହାପାତ୍ର, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ବରିଷ୍ଠ ଶିକ୍ଷାବିତ୍ ଦେବୀପ୍ରସାଦ ସାହୁ, ଡ଼ କୃଷ୍ଣ ପ୍ରସାଦ ମହାପାତ୍ର, ପ୍ରଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଶାନ୍ତନୁ କୁମାର ବରାଡ,ଦେବୀ ପ୍ରସାଦ ମହାପାତ୍ର , ନରେନ୍ଦ୍ର ପ୍ରସାଦ ଦାସ, ପ୍ରମୁଖ ଙ୍କ ସମେତ ବହୁ ବିଜ୍ଞ ଆଲୋଚକ , ବୁଦ୍ଧିଜୀବୀ କବି କବୟିତ୍ରୀ ଅଂଶ ଗ୍ରହଣ କରିଥିଲେ। ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande